ରାୟପୁର: ଛତିଶଗଡ଼ ଲୋକସେବା ଆୟୋଗ (ସିଜିପିଏସ୍ସି) ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ସିବିଆଇ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ସିଜିପିଏସ୍ସି ପରୀକ୍ଷା ନିୟନ୍ତ୍ରକ ଆରତୀ ୱାସନିକ, ପୂର୍ବତନ ସଚିବ ଏବଂ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଜୀବନ କିଶୋର ଧ୍ରୁବ, ତାଙ୍କ ପୁଅ ସୁମିତ ଧ୍ରୁବ, ନିଶା କୋସଲେ ଏବଂ ଦୀପା ଆଦିଲଙ୍କୁ ଶୁକ୍ରବାର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯାଇଛି।
ସୁମିତ ଧ୍ରୁବଙ୍କୁ ଡେପୁଟି କଲେକ୍ଟର ପଦବୀ ପାଇଁ ଚୟନ କରାଯାଇଥିଲା। ପୂର୍ବରୁ ସିବିଆଇ ଅନେକ ଥର ଆରତୀ ୱାସନିକ ଏବଂ ଜୀବନ କିଶୋରଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ମାମଲାରେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଭୂପେଶ ବାଘେଲଙ୍କ କଂଗ୍ରେସ ସରକାର ସମୟରେ ସିଜିପିଏସ୍ସି ନିଯୁକ୍ତି ପରୀକ୍ଷାରେ ଅନିୟମିତତା ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବଙ୍କ ନିକଟକୁ ୪୮ଟି ଅଭିଯୋଗ ପଠାଯାଇଥିଲା। ପ୍ରଭାବଶାଳୀ ରାଜନେତା ଏବଂ ଅଧିକାରୀଙ୍କ ନିକଟତମ ସହଯୋଗୀଙ୍କୁ ଡେପୁଟି କଲେକ୍ଟର, ଡିପିଏସ୍ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ପଦବୀ ପାଇଁ ଚୟନ କରାଯାଇଥିବା ଅଭିଯୋଗ ହୋଇଥିଲା।
ବିଜେପି ନେତା ନାନକି ରାମ କନୱାର ହାଇକୋର୍ଟରେ ଏକ ପିଟିସନ୍ ଦାୟର କରି ଅଭିଯୋଗ କରିଥିଲେ ଯେ ତତ୍କାଳୀନ କଂଗ୍ରେସ ସରକାର ତଦନ୍ତ କରିବାରେ ବିଫଳ ହୋଇଥିଲେ। ଏହା ପରେ, କୋର୍ଟ ୧୮ ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ଉପରେ ସ୍ଥଗିତ ରଖିଥିଲେ। ସିଜିପିଏସ୍ସି-୨୦୨୧ ମସିହାରେ ଏକ ନିଯୁକ୍ତି ବିଜ୍ଞାପନ ଜାରି କରିଥିଲା। ୧୭୧ ପଦବୀ ପାଇଁ ୨୫୬୫ ଜଣ ପ୍ରାର୍ଥୀ ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୬ ମଇରୁ ୨୯ ମଇ, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ମୁଖ୍ୟ ପରୀକ୍ଷାରେ ୫୦୯ ଜଣ ପ୍ରାର୍ଥୀ ସଫଳ ହୋଇଥିଲେ। ସାକ୍ଷାତକାର ପରେ, ୧୧ ମଇ, ୨୦୨୩ ରେ ୧୭୦ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା।
ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗ ପରେ, ତତ୍କାଳୀନ ପିଏସ୍ସି ଅଧ୍ୟକ୍ଷ ତମନ ସିଂହ ସୋନୱାନୀ, ସଚିବ ଜୀବନ କିଶୋର ଧ୍ରୁବ, ପରୀକ୍ଷା ନିୟନ୍ତ୍ରକ ଆରତୀ ଭାସନିକ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଆଉ ଏକ ଏଫ୍ଆଇଆର ଦାୟର କରାଯାଇଥିଲା। ବର୍ତ୍ତମାନର ବିଷ୍ଣୁ ଦେବ ସାଇ ସରକାରଙ୍କ ଅନୁରୋଧରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିଲେ ଦିଲ୍ଲୀବାସୀଙ୍କୁ ମିଳିବ ପର୍ଯ୍ୟାପ୍ତ ପାଣି