ନୂଆଦିଲ୍ଲୀ: ଜାତୀୟ ପ୍ରତୀକର ଅପବ୍ୟବହାର ପାଇଁ ସରକାର କଠୋର ଦଣ୍ଡ ବିଧାନ ଉପରେ ବିଚାର କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଆଇନକୁ ସୁଦୃଢ଼ କରିବା ପାଇଁ ନାମ ଓ ପ୍ରତୀକ (ଅନୁପଯୁକ୍ତ ବ୍ୟବହାର ନିବାରଣ) ଆଇନ, ୧୯୫୦ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିପାରନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରସ୍ତାବିତ ପରିବର୍ତ୍ତନ ମଧ୍ୟରେ ଜରିମାନା ବୃଦ୍ଧି ଏବଂ କାରାଦଣ୍ଡ ଦଣ୍ଡ ଅନ୍ତର୍ଭୁକ୍ତ। ପ୍ରଚଳିତ ଆଇନ ଅନୁଯାୟୀ ଚିହ୍ନ ଓ ନାମର ଅନୁପଯୁକ୍ତ ବ୍ୟବହାର ପାଇଁ ଉଲ୍ଲଂଘନକାରୀଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡୁଛି। ଏହି ଆଇନରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଟାଇଟଲ, ଟ୍ରେଡମାର୍କ, ପେଟେଣ୍ଟର ଡିଜାଇନ କିମ୍ବା ବାଣିଜ୍ୟ, ବ୍ୟବସାୟ କିମ୍ବା ବୃତ୍ତିରେ ଜାତୀୟ ପ୍ରତୀକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ପ୍ରଥମ ଥର ଅପରାଧୀଙ୍କ ପାଇଁ ଜରିମାନାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ବାରମ୍ବାର ନିୟମ ଉଲ୍ଲଂଘନ କଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। କେତେକ ମନ୍ତ୍ରଣାଳୟ କମ୍ ଜରିମାନା ଏବଂ ଜେଲ୍ ଦଣ୍ଡ ଉଚ୍ଛେଦ ପାଇଁ ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ୍ ନେବ।
ଅଧିକ ପଢ଼ନ୍ତୁ: ଆଜି ୧୨ ଘଣ୍ଟିଆ 'ପଶ୍ଚିମବଙ୍ଗ ବନ୍ଦ' ଡାକରା ଦେଲା ବିଜେପି