ନୂଆଦିଲ୍ଲୀ: ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଗିରଫ କରାଯାଇଛି। ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କଲମ୍ବୋର ଏଫଟି ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ରାଜନେତାମାନେ ମଧ୍ୟ ରାନିଲ ବିକ୍ରମସିଙ୍ଘେଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
କଂଗ୍ରେସ ସାଂସଦ ଶଶି ଥରୁର ପୂର୍ବତନ ରାଷ୍ଟ୍ରପତିଙ୍କ ଗିରଫଦାରୀ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ ଶ୍ରୀଲଙ୍କାର ବର୍ତ୍ତମାନର ସରକାରଙ୍କୁ ପ୍ରତିଶୋଧ ରାଜନୀତିର ମନୋଭାବରେ କାମ ନକରିବାକୁ ଅନୁରୋଧ କରିଛନ୍ତି। ଶଶି ଥରୁର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି, ରାନିଲ ବିକ୍ରମସିଙ୍ଘେଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗଗୁଡ଼ିକ ସାମାନ୍ୟ ମନେ ହେଉଛି। ଗିରଫ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାର ବିଷୟ।
ସେ ଆହୁରି କହିଛନ୍ତି, ମୁଁ ସମ୍ମାନ କରୁଛି ଯେ ଏହା ଶ୍ରୀଲଙ୍କାର ଏକ ଆଭ୍ୟନ୍ତରୀଣ ମାମଲା। ମୁଁ କେବଳ ଶ୍ରୀଲଙ୍କା ସରକାରଙ୍କୁ ପ୍ରତିଶୋଧର ରାଜନୀତି ପରିତ୍ୟାଗ କରିବାକୁ ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ସମ୍ମାନ ଏବଂ ମର୍ଯ୍ୟାଦାର ସହିତ ବ୍ୟବହାର କରିବାକୁ ଅନୁରୋଧ କରିବାକୁ ଚାହୁଁଛି।
ବିକ୍ରମସିଙ୍ଘେଙ୍କ ବିରୋଧରେ ମାମଲା ପ୍ରାୟ ୧.୬୬ କୋଟି ଶ୍ରୀଲଙ୍କା ଟଙ୍କା ଅପବ୍ୟବହାର ସହିତ ଜଡିତ, ଯାହା ତାଙ୍କ ରାଷ୍ଟ୍ରପତି ଥିବା ସମୟରେ ଖର୍ଚ୍ଚ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ସିଆଇଡି ଶ୍ରୀଲଙ୍କା ଦଣ୍ଡ ସଂହିତାର ଧାରା ୩୮୬ ଏବଂ ୩୮୮ ଏବଂ ସାର୍ବଜନୀନ ସମ୍ପତ୍ତି ଆଇନର ଧାରା ୫(୧) ଅନୁଯାୟୀ ବିକ୍ରମସିଙ୍ଘେଙ୍କ ବିରୋଧରେ ଅଭିଯୋଗ ଆଣିଛି। ଯଦି ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ତାଙ୍କୁ ଅତି କମରେ ୨୦ ବର୍ଷ ଜେଲଦଣ୍ଡ ହୋଇପାରେ।
ଅଧିକ ପଢ଼ନ୍ତୁ: ଛାତ୍ରମାନଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଲେ ପ୍ରଧାନ ବିଚାରପତି