ଅଗରତାଲା: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବନ୍ୟା ଯୋଗୁଁ ରାଜ୍ୟର ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି। ୧ ଲକ୍ଷ ୨୮ ହଜାର ଲୋକଙ୍କୁ ରିଲିଫ ଶିବିରରେ ରଖାଯାଇଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି ଯେ ରାଜ୍ୟରେ ବନ୍ୟା ଯୋଗୁଁ ୧୫,୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ବନ୍ୟା ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ୧.୨୮ ଲକ୍ଷ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।
ବନ୍ୟା ଯୋଗୁଁ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇପାରେ ବୋଲି ଆକଳନ କରାଯାଇଛି। ପ୍ରକୃତ କ୍ଷୟକ୍ଷତିର ଆକଳନ ପରେ ଏହି ସଂଖ୍ୟା ବଢ଼ିପାରେ। ସର୍ବଦଳୀୟ ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ କଠିନ ସମୟରେ ଏକାଠି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ଓ ଇନ୍ଧନ ମହଜୁଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଜାର ଉପରେ ତୀକ୍ଷ୍ଣ ନଜର ରଖିବେ। ସେପଟେ ତ୍ରିପୁରାରେ ବନ୍ୟା ପରିସ୍ଥିତିରେ ଶନିବାର ସୁଧାର ଆସିଛି। ଅଧିକାଂଶ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ଫସି ରହିଥିବା ସ୍ଥାନୀୟ ଲୋକଙ୍କ ପାଇଁ ବାୟୁସେନା ହେଲିକପ୍ଟର ଯୋଗେ ୪ ହଜାରରୁ ଅଧିକ ଖାଦ୍ୟ ପ୍ୟାକେଟ ପକାଇଛି।
ବାଂଲାଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯାଇଛି। ସେଠାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଦେଶର ୬୪ଟି ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଏନଜିଓ ଏବଂ ଲୋକଙ୍କୁ ରିଲିଫ କାର୍ଯ୍ୟରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ସେପଟେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଢାକା ବିଶ୍ୱବିଦ୍ୟାଳୟ ନିକଟରେ ଥିବା ପ୍ରସିଦ୍ଧ ସ୍ମାରକୀ ସ୍ଥଳରେ ସ୍ଥାନୀୟ ବ୍ୟାଣ୍ଡ ଓ ସଙ୍ଗୀତଜ୍ଞମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଏକାଠି ହୋଇଥିଲେ। ବନ୍ୟା ପ୍ରପୀଡ଼ିତଙ୍କ ରିଲିଫ ପାଇଁ ଦାନ କରିବାକୁ କାର୍ଯ୍ୟକ୍ରମ ପରିଚାଳନାରେ ଅନୁରୋଧ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ ଦମ୍ପତି