ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରର ମୋହଦ୍ଦିପୁର ପାୱାର ହାଉସ୍ ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ ମିନିଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାପା ଓ ଦୁଇ ଝିଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ପତ୍ନୀ ଓ ପୁଅ ଆହତ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ବାଇକ୍ ଆରୋହୀ ଆହତ ହୋଇଛନ୍ତି।
କ୍ୟାଣ୍ଟ ପୁଲିସ ତିନିଜଣ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି। ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ଡାକ୍ତର ତାଙ୍କୁ ସ୍ଥାନୀୟ ବିଆରଡି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ କ୍ରିଷ୍ଣା କରୁଣେଶ ଓ ଏସଏସପି ଡାକ୍ତର ଗୌରବ ଗ୍ରୋଭର ମଧ୍ୟ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ମୃତକମାନେ ହେଲେ ମୋହଦ୍ଦିପୁର ପାୱାର ଷ୍ଟେସନ ନିକଟରେ ରହୁଥିବା ବିକ୍ରାନ୍ତ (୩୪), ତାଙ୍କ ଦୁଇ ବର୍ଷର ଝିଅ ଲାଡୋ ଓ ୧ ବର୍ଷର ଝିଅ ପରୀ। ଏହାବ୍ୟତୀତ ରୁସ୍ତମପୁରର ମୋନୁ ଚୌହାନ ଏବଂ ବେତିଆହାଟା ହନୁମାନ ମନ୍ଦିର ନିକଟରେ ରହୁଥିବା ସିରାଜଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରେ ବିକାଙ୍କ ପତ୍ନୀ ନିକିତା (୩୦) ଓ ୫ ବର୍ଷର ପୁଅ ଅଙ୍ଗଦ ଆହତ ହୋଇଛନ୍ତି। ତୃତୀୟ ବାଇକ୍ ରେ ଥିବା ଆହତ ବ୍ୟକ୍ତିଜଣକ ହେଉଛନ୍ତି ଚିନ୍ମୟାନନ୍ଦ। ପୁଲିସ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରୁଛି।
ପୁଲିସ ସୂଚନା ଅନୁଯାୟୀ, ରାତି ୧୧ଟା ୪୫ରେ ସୁରଜ ଓ ମୋନୁ ଗୋଟିଏ ବାଇକ୍ରେ ମୁଣ୍ଡନ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ବିକ୍ରାନ୍ତ ତାଙ୍କ ପତ୍ନୀ ଓ ୩ ପିଲାଙ୍କ ସହ ଏକ ବାଇକ୍ରେ ମୋହଦ୍ଦିପୁର ବିଜୁଳି କଲୋନିସ୍ଥିତ ନିଜ ଘରକୁ ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିକ୍ରାନ୍ତ ମୋହଦ୍ଦିପୁରର କେନାଲ ରୋଡ୍ ନିକଟରେ କେନାଲ ରୋଡ୍ ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ବେଳେ କୁଦାଘାଟରୁ ଆସୁଥିବା ସୁରଜ ଓ ମୋନୁ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ।
ଏହି ସମୟରେ ଜଣେ ତୃତୀୟ ବାଇକ୍ ଆରୋହୀ ମଧ୍ୟ ସେମାନଙ୍କ ସହ ଧକ୍କା ହେବାରୁ ସେ ବାଇକ୍ ସହ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ ସମସ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଗୋଟିଏ ପରେ ଗୋଟିଏ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ୩ ଜଣ ଆହତଙ୍କ ଚିକିତ୍ସା ଚାଲିଛି।
ଅଧିକ ପଢ଼ନ୍ତୁ: ବେନାମୀ ସମ୍ପତ୍ତି ଜାରି କଲେ ଟ୍ରିବ୍ୟୁନାଲ କୋର୍ଟ