ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଏନସିପି ନେତା ଅଜିତ ପାୱାରଙ୍କ ଜବତ ସମ୍ପତ୍ତିକୁ ଆୟକରଛାଡ଼ କରାଯାଇଛି। ଦିଲ୍ଲୀର ବେନାମୀ ଟ୍ରିବ୍ୟୁନାଲ କୋର୍ଟ ଶୁକ୍ରବାର ରାୟ ଶୁଣାଇ ଅଜିତ ପାୱାରଙ୍କ ଜବତ ସମ୍ପତ୍ତିକୁ ମୁକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୭ ତାରିଖରେ ଆୟକର ବିଭାଗ ଅଜିତ ପାୱାର ଏବଂ ତାଙ୍କ ପରିବାରର ବେନାମୀ ସମ୍ପତ୍ତି ବୋଲି ଅଭିଯୋଗ କରି ବିଭିନ୍ନ କମ୍ପାନୀ ଉପରେ ଚଢ଼ାଉ କରି କିଛି କାଗଜପତ୍ର ଜବତ କରିଥିଲା। ଦିଲ୍ଲୀର ବେନାମି ଆପିଲେଟ୍ ଟ୍ରିବ୍ୟୁନାଲ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ ଏବଂ ଏହି ବହିଷ୍କାର ବିରୋଧରେ ଆୟକର ଆବେଦନକୁ ମଧ୍ୟ ବେନାମୀ ଟ୍ରିବ୍ୟୁନାଲ ଗତ ନଭେମ୍ବର ୫ ତାରିଖରେ ଖାରଜ କରିଦେଇଥିଲେ। ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ଓ ପତ୍ନୀ ସୁନେତ୍ର ପାୱାରଙ୍କ ସମ୍ପତ୍ତିକୁ ମୁକ୍ତ କରିବାକୁ ଆୟକର ବିଭାଗ ନିର୍ଦ୍ଦେଶ ଜାରି କରିଛି।
ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଟ୍ରିବ୍ୟୁନାଲ ଏହି ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିପୁଳ ବିଜୟ ହାସଲ କରିଥିଲା ଏବଂ ସରକାର ଗଠନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ୨୦୨୪ ନଭେମ୍ବର ୫ତାରିଖରେ ଟ୍ରିବ୍ୟୁନାଲ ଆୟକର ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ନିଜର ଆଭିମୁଖ୍ୟକୁ ସୁନିଶ୍ଚିତ କରିଥିଲେ। ଏହି ନିଷ୍ପତ୍ତି ପରେ ଆୟକର କର୍ତ୍ତୃପକ୍ଷ ପୂର୍ବରୁ ଜବତ କରିଥିବା ସମ୍ପତ୍ତିକୁ ମୁକ୍ତ କରାଯାଇଛି।
ଅକ୍ଟୋବର ୨୦୨୧ରେ ବେନାମି ସମ୍ପତ୍ତି ନିବାରଣ ଆଇନ (ପିବିପିପି) ଅଧୀନରେ କର୍ତ୍ତୃପକ୍ଷ ୧୦୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲେ। ଅଜିତ ପାୱାରଙ୍କ ସମ୍ପର୍କୀୟ, ଭଉଣୀ ଏବଂ ଘନିଷ୍ଠ ସହଯୋଗୀଙ୍କ ସମେତ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ତାଙ୍କ ସହ ଜଡ଼ିତ ଲୋକଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ତେବେ ଏହି ସମ୍ପତ୍ତି ଗୁଡ଼ିକ ମଧ୍ୟରୁ କୌଣସିଟି ସିଧାସଳଖ ଏନସିପି ନେତାଙ୍କ ନାମରେ ପଞ୍ଜୀକୃତ ହୋଇନଥିବା ସୂତ୍ରରୁ ପ୍ରକାଶ।