ରାୟପୁର: ଛତିଶଗଡ଼ର ସର୍ବବୃହତ୍ତ ବାରୁଦ କାରଖାନାରେ ଶନିବାର ସକାଳୁ ବଡ଼ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଅଳ୍ପ ସମୟ ମଧ୍ୟରେ କାରଖାନାରେ ଅଗ୍ନିକାଣ୍ଡ ଦେଖାଯାଇଛି। ବିସ୍ଫୋରଣର ମାତ୍ରା ଅତି ଭୟଙ୍କର ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । କାରଣ ବିସ୍ପୋରଣ ବହୁ ଦୂରକୁ ଶୁଭାଯାଇଥିଲା। ଏହି କାରଖାନା ବେମତରା ଜିଲ୍ଲା ସଦର ମହକୁମା ଠାରୁ ୭୦ କିମି ଦୂର ବୋରସୀରେ ରହିଛି।
କୁହାଯାଉଛି ଯେ, ଏହି ଘଟଣାରେ ୬ ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାତ୍ର ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ମୃତ ଓ ଆହତ ନେଇ ସରକାରୀ ସୂତ୍ରରୁ କୌଣସି ସୂଚନା ଦିଆଯାଇ ନାହିଁ।
ଘଟଣା ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଅନେକଗୁଡ଼ିଏ ଗାଡ଼ି ନେଇ ପହଞ୍ଚିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଏସ୍ଡିଆରଏଫ୍ ଓ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି ଆବଶ୍ୟକ ପରିମାଣରେ ଆମ୍ବୁଲାନ୍ସ ରଖାଯାଇଛି। ଅନ୍ୟପଟରେ କୁହାଯାଉଛି ଯେ, ଏହି ଘଟଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଇ ପାରେ। କାରଣ ବିସ୍ଫୋରଣ ସମୟରେ କାରଖାନାରେ ବହୁ ଲୋକ ଥିଲେ।