ମୁମ୍ବାଇ: ବାକୋଲାସ୍ଥିତ ମର୍ଚେଣ୍ଟ ନେଭିରେ କାମ କରୁଥିବା ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଡାକ ଜରିଆରେ ଦୁଇ ଥର ତିନି ତଲାକ ନୋଟିସ୍ ପଠାଇଛନ୍ତି। ତୃତୀୟ ଥର ପୀଡ଼ିତା ଡାକ ଜରିଆରେ ନୋଟିସ୍ ଗ୍ରହଣ କରିବାକୁ ମନା କରିବାରୁ ତାଙ୍କ ବାପାଙ୍କ ହ୍ୱାଟ୍ସଆପ୍ରେ ନୋଟିସ୍ ପଠାଯାଇଥିଲା। ଯୌତୁକ ନିର୍ଯାତନା ଏବଂ ତିନି ତଲାକ ଆଇନ ଅନୁଯାୟୀ ୩୦ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କ ସମେତ ୭ ଜଣଙ୍କ ବିରୋଧରେ ବାକୋଲା ଥାନାରେ ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ ମେ ୨୦୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ତାଙ୍କ ସ୍ୱାମୀ ତସଲିମ ମହମ୍ମଦ ଇଲିୟାସ ଖାନ (୩୧), ଶ୍ୱଶୁର ଇଲିୟାସ ଖାନ, ଭାଉଜ ଆଫରିନ ସୁହେଲ ଖାନ, ଅନ୍ୟ ଜଣେ ଭାଉଜ ପରମିନ ଏବଂ ତାଙ୍କ ସ୍ୱାମୀ ବିଲାଲ ଖାନ, ଭିଣୋଇ ଇମ୍ରାନଙ୍କ ସହ ଗୁଫ୍ରାନ ତାଙ୍କୁ ଅନେକ ଥର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ତେଣୁ ସେ ସମସ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି।
ପୀଡ଼ିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୨୩ ନଭେମ୍ବରରେ ଯେତେବେଳେ ତାଙ୍କ ଶାଶୂଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ସେ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, କିନ୍ତୁ ଭାଉଜ ତାଙ୍କୁ ଘର ଭିତରକୁ ଯିବାକୁ ଦେଇନଥିଲେ। ଡିସେମ୍ବର ୨୦୨୩ରେ ପୀଡ଼ିତାଙ୍କ ସ୍ୱାମୀ ଛୁଟିରେ ଆସିବା ପରେ ଜାନୁଆରୀ ମାସରେ ପୀଡ଼ିତାଙ୍କୁ ଡାକ ଜରିଆରେ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ।
ଫେବ୍ରୁଆରି ୧୭ରେ ଦ୍ୱିତୀୟ ଥର ପାଇଁ ନୋଟିସ୍ ପଠାଯାଇଥିବା ବେଳେ ମାର୍ଚ୍ଚ ୨୧ରେ ତୃତୀୟ ଥର ପାଇଁ ନୋଟିସ୍ ପଠାଯିବା ପରେ ପୀଡ଼ିତାଙ୍କ ମା' ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ପୀଡ଼ିତାଙ୍କ ସ୍ୱାମୀ ତୃତୀୟ ଥର ପାଇଁ ତାଙ୍କ ବାପାଙ୍କ ହ୍ଵାଟ୍ସଆପ୍ରେ ନୋଟିସ୍ ପଠାଇଥିଲେ। ପୀଡ଼ିତା ଶ୍ୱଶୁର ଘରକୁ ଯିବା ପାଇଁ କାଉନସେଲିଂ ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ଅଧିକ ପଢ଼ନ୍ତୁ: ସନ୍ଦୀପ ଘୋଷଙ୍କ ସମ୍ପର୍କୀୟ ଘରୁ ମିଳିଲା ନିଯୁକ୍ତି ପରୀକ୍ଷାର ଉତ୍ତର ଖାତା