ଗାନ୍ଧୀନଗର: ଗୁଜରାଟର ଦ୍ୱାରକାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟି ୪ ଶିଶୁଙ୍କ ସମେତ ୭ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ବସ୍ ଡିଭାଇଡର ଅତିକ୍ରମ କରି ଅନ୍ୟ ଗଳିକୁ ଆସି ୩ଟି ଗାଡ଼ି ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।
ପୁଲିସ କହିଛି ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ରେ ୫୧ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ଟି ଦ୍ୱାରକାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା। ବାଟରେ ପଶୁମାନେ ଆସିବାରୁ ଡ୍ରାଇଭର ହଠାତ୍ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ପଶୁମାନଙ୍କୁ ବଞ୍ଚାଇବାକୁ ଯାଇ ବସ୍ଟି ଡିଭାଇଡର ସହ ଧକ୍କା ହୋଇଥିଲା। ରାଜପଥରେ ଦ୍ରୁତ ବେଗରେ ଯାଉଥିବାରୁ ବସ୍ଟି ଡିଭାଇଡର ଅତିକ୍ରମ କରି ଦ୍ବିତୀୟ ଲେନ୍କୁ ଆସି ସାମ୍ନାରୁ ଆସୁଥିବା ୩ଟି ଗାଡିକୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ଟି ଏକ ମିନିଭ୍ୟାନ୍, କାର୍ ଓ ଏକ ବାଇକ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ନିରୀହଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ସେହିପରି ପ୍ରାୟ ୧୪ ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଉଛି।
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣ ଯାତ୍ରୀ ମିନି ଭ୍ୟାନରେ ଯାଉଥିଲେ। ସେହି ସମୟରେ ବସରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଇଛି। ଚାରି ଜଣ ପିଲାଙ୍କ ମଧ୍ୟରେ ତାନ୍ୟା (୨), ରେୟାଂଶ (୩), ବିଶାନ (୭) ଓ ପ୍ରିୟାଂଶୀ (୧୩)ସାମିଲ ଅଛନ୍ତି। ଅନ୍ୟମାନେ ହେଲେ ହେତଲବେନ ଠାକୁର (୨୫), ଚିରାଗ ରାଣାଭାଇ (୨୫) ଓ ଭାବନାବେନ ଠାକୁର (୩୫)।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ଏହି ମିନି ଭ୍ୟାନ୍ ଦ୍ୱାରକାରୁ ଗାନ୍ଧୀନଗର ଅଭିମୁଖେ ଯାଉଥିଲା ଏବଂ ଏହାର ଗନ୍ତବ୍ୟ ସ୍ଥଳଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିଲା। ମୃତକଙ୍କ ମଧ୍ୟରୁ ୬ ଜଣ ଗାନ୍ଧୀନଗରର କାଲୋଲର ବୋଲି ଜଣାପଡ଼ିଛି। ସେହିପରି ବସରେ ବସିଥିବା ମୃତ ବ୍ୟକ୍ତି ଦ୍ୱାରକାର ବାସିନ୍ଦା ଥିଲେ।
ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ କଡ଼ ଜବାବ ଦେଲେ ଜୟଶଙ୍କର