ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଥିବା ଦ୍ବନ୍ଦ୍ବ ମଧ୍ୟରେ ବିଜେପିର ଜଣେ ନେତା ରବିବାର ଏକ ବଡ଼ ଦାବି କରିଛନ୍ତି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସଙ୍କ ନାମ ଚୂଡ଼ାନ୍ତ ହୋଇଛି ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଡିସେମ୍ବର ୨ କିମ୍ବା ୩ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସି ନୂଆ ନେତା ଚୟନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିଷ୍ପତ୍ତିକୁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ଏହା ପୂର୍ବରୁ ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ଏବଂ ତାଙ୍କ ଦଳ ଗୃହ ମନ୍ତ୍ରଣାଳୟ ବିଭାଗ ପାଇଁ ଆଗ୍ରହୀ ବୋଲି ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ଶିବସେନା ଶିନ୍ଦେ ଗୋଷ୍ଠୀର ମୁଖ୍ୟ କହିଛନ୍ତି ଯେ ମହାୟୁତି ସହଯୋଗୀ ଦଳମାନେ ସହମତି ମାଧ୍ୟମରେ ସରକାର ଗଠନ ନେଇ ନିଷ୍ପତ୍ତି ନେବେ। ଏନଡିଏ କନସୋର୍ଟିୟମରେ ଭାରତୀୟ ଜନତା ପାର୍ଟି, ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସାମିଲ ଅଛନ୍ତି।
ସିନ୍ଦେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସୋମବାର (୨ ଡିସେମ୍ବର ୨୦୨୪) ନିଷ୍ପତ୍ତି ନିଆଯିବ। ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବିପୁଳ ବିଜୟ ହାସଲ କରି ରାଜ୍ୟର ୨୮୮ ଆସନମଧ୍ୟରୁ ୨୩୦ଟିରେ ବିଜୟୀ ହୋଇଥିଲା। ସେଥିମଧ୍ୟରୁ ବିଜେପି ୧୩୨, ଶିବସେନା ୫୭ ଓ ଏନସିପି ୪୧ ଆସନରେ ବିଜୟୀ ହୋଇଥିଲେ।
ରାଜ୍ୟରେ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଡିସେମ୍ବର ୫ରେ ଆଜାଦ ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ। ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ ଶନିବାର ଏହି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଭାରତ ସହିତ ଚୀନର କେମିତି ରହିଛି ସମ୍ପର୍କ?