ଚଣ୍ଡୀଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହରିୟାଣା ସରକାର ୨୦ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ନିର୍ବାଚନ କମିଶନଙ୍କ ଅନୁମୋଦନ ମିଳିବା ପରେ ସରକାର ମଙ୍ଗଳବାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ ରୋହତକର ଡିଭିଜନାଲ କମିଶନରଙ୍କୁ ଅବଗତ କରାଇଛନ୍ତି। ଡିଭିଜନାଲ କମିଶନରଙ୍କ ସରକାରୀ ଅନୁମୋଦନ ପରେ ଗୁରମିତ ରାମ ରହିମ ବୁଧବାର ରୋହତକର ସୁନାରିଆନ ଜେଲରୁ ବାହାରିବାର ସମ୍ଭାବନା ରହିଛି।
ସେପଟେ ଡେରା ମୁଖୀଙ୍କ ପାରୋଲକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ। ହରିୟାଣା କଂଗ୍ରେସ ଲିଗାଲ ସେଲ୍ ଅଧ୍ୟକ୍ଷ କେସି ଭାଟିଆ ନିର୍ବାଚନ କମିଶନଙ୍କ ନିକଟରେ ଏକ ଅଭିଯୋଗରେ କହିଛନ୍ତି ଯେ ଡେରା ମୁଖୀ ଜେଲରୁ ବାହାରିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଡେରା ମୁଖୀକୁ ପାରୋଲ ଦିଆଯିବା ଉଚିତ ନୁହେଁ।
ଅନ୍ୟପକ୍ଷରେ ନିର୍ବାଚନ ବିଭାଗର ନୋଡାଲ ଅଫିସର ମନୀଷ କୁମାର ଲୋହାନ କହିଛନ୍ତି ଯେ ଡେରା ମୁଖୀର ଆଇନ ଅନୁଯାୟୀ ପାରୋଲ ପାଇବାର ଅଧିକାର ରହିଛି। ତେଣୁ ନିର୍ବାଚନ ବିଭାଗ ଡେରା ମୁଖୀକୁ ସର୍ତ୍ତମୂଳକ ପ୍ୟାରୋଲ୍ ପ୍ରଦାନ କରିଛି। ତାଙ୍କ ପାରୋଲ ସମୟରେ ଡେରା ମୁଖୀଙ୍କୁ ହରିୟାଣାର କୌଣସି ସ୍ଥାନକୁ ଯିବାକୁ ଅନୁମତି ଦିଆଯିବ ନାହିଁ।
ରାମ ରହିମ ସ୍ୱାଭାବିକ ପ୍ରକ୍ରିୟାରେ ସୁନାରିଆ ଜେଲ ପ୍ରଶାସନ ନିକଟରେ ପାରୋଲ ପାଇଁ ଆବେଦନ କରିଥିଲେ। ଏହାପରେ ସୋମବାର ରାତିରେ ନିର୍ବାଚନ କମିଶନ ରାମ ରହିମଙ୍କୁ ସର୍ତ୍ତମୂଳକ ପାରୋଲ ଦେବା ପାଇଁ ସମ୍ମତି ପ୍ରଦାନ କରି କହିଥିଲେ ଯେ ଏହି ନିଷ୍ପତ୍ତି ନେବା ସରକାରଙ୍କ ଅଧୀନରେ ରହିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ ପାରୋଲ ଅବଧି ମଧ୍ୟରେ ରାମ ରହିମ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ। ଡେରା ମୁଖୀ ହରିୟାଣା ଆସିବ ନାହିଁ ଏବଂ ଇଣ୍ଟରନେଟ ମିଡିଆରେ କୌଣସି ରାଜନୈତିକ ବୟାନ ଦେବ ନାହିଁ ।
ଏହି ଅଶାନ୍ତି ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଗୁରମିତ ରାମ ରହିମଙ୍କୁ ୨୦ ଦିନିଆ ପାରୋଲ ପ୍ରଦାନକୁ ମଞ୍ଜୁରୀ ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲାକୁ ରୋହତକର ଜେଲ ମହାନିର୍ଦ୍ଦେଶକ ଏବଂ ଡିଭିଜନାଲ କମିଶନରଙ୍କ ନିକଟକୁ ପଠାଯାଇଛି।
ନିୟମ ଅନୁଯାୟୀ ରୋହତକର ଡିଭିଜନାଲ କମିଶନର ସେହି ଜିଲ୍ଲାର ପ୍ରଶାସନକୁ ଜଣାଇବେ ଯେଉଁଠାରେ ରାମ ରହିମ ପାରୋଲ ଅବଧି ମଧ୍ୟରେ ରହିବେ। ଏହାବ୍ୟତୀତ ରୋହତକ ଡିଭିଜନାଲ କମିଶନର ରାମ ରହିମଙ୍କ ପାରୋଲ କୁ ନେଇ ସୁନାରିଆ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ନାମା ଜାରି କରିବେ । ଯାହା ପରେ ରାମ ରହିମ ଜେଲରୁ ମୁକୁଳିବେ ।
ସେ କେବେ ଜେଲରୁ ବାହାରିଲେ?
-ଅକ୍ଟୋବର ୨୪, ୨୦୨୦: ହସ୍ପିଟାଲରେ ଭର୍ତ୍ତି ମା'ଙ୍କୁ ଭେଟିବା ପାଇଁ ଦିନେ ପାରୋଲ
-ମେ ୨୧, ୨୦୨୧: ମା'ଙ୍କୁ ଭେଟିବା ପାଇଁ ୧୨ ଘଣ୍ଟିଆ ପ୍ୟାରୋଲ
-୭ ଫେବୃଆରୀ ୨୦୨୨: ପଞ୍ଜାବରେ ଥିଲା ନିର୍ବାଚନ, ପରିବାରକୁ ଭେଟିବା ପାଇଁ ୨୧ ଦିନ ଛୁଟି
-ଜୁନ୍ ୧୭, ୨୦୨୨: ହରିୟାଣା ପୌର ସଂସ୍ଥା ନିର୍ବାଚନ, ୩୦ ଦିନର ପାରୋଲ
-ଅକ୍ଟୋବର ୧୪, ୨୦୨୨: ଆଦମପୁର ଉପନିର୍ବାଚନ, ୪୦ ଦିନିଆ ପାରୋଲ
-୨୧ ଜାନୁଆରୀ ୨୦୨୩: ହରିୟାଣାରେ ପଂଚାୟତ ନିର୍ବାଚନ, ୪୦ ଦିନର ପାରୋଲ
-୨୦ ଜୁଲାଇ ୨୦୨୩: ହରିୟାଣା ପଞ୍ଚାୟତ ଉପନିର୍ବାଚନ, ୩୦ ଦିନିଆ ପାରୋଲ
-୨୧ ନଭେମ୍ବର ୨୦୨୩: ରାଜସ୍ଥାନ ନିର୍ବାଚନ, ୨୧ ଦିନର ଛୁଟି
-ଜାନୁଆରୀ ୧୯, ୨୦୨୪: ଲୋକସଭା ନିର୍ବାଚନ ପୂର୍ବରୁ ୫୦ ଦିନ ପାଇଁ ପାରୋଲ
-୧୩ ଅଗଷ୍ଟ ୨୦୨୪: ହରିୟାଣା ବିଧାନସଭା ନିର୍ବାଚନ, ୨୧ ଦିନର ଛୁଟି
ଅଧିକ ପଢ଼ନ୍ତୁ: ଓକିଲଙ୍କୁ କାହିଁକି ତାଗିଦ କଲେ ପ୍ରଧାନ ବିଚାରପତି