ଭୁବନେଶ୍ୱର, ଏପ୍ରିଲ ୮ (ଖବର ଓଡ଼ିଶା): ବର୍ତମାନ କରୋନାର କହର ପୁଣି ଆରମ୍ଭ ହୋଇଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ କରୋନା ନିଜର ମହାରୂପ ଦେଖାଇବା ଆରମ୍ଭ କରିଛି । ଆଜି ରାଜ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ପ୍ରକଟ କରିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।
ଏବେ ଧିରେ ଧିରେ ରାଜ୍ୟରେ କରୋନା ସ୍ଥିତି ବିଗୁଡୁଛି ଏବଂ ଆଗକୁ କଣ ହେବ କିଛି କହି ହେବନି । ବର୍ତମାନ ଠାରୁ ଆଗକୁ କରୋନା କେଉଁ ରୂପ ନେବ ତାହା ଅନୁମାନ କରିବା କଷ୍ଟ ହୋଇ ପଡିବା ସହିତ କରୋନାର ଏହି ଦ୍ୱିତୀୟ ଲହର ପୂର୍ବ ଠାରୁ ଅଧିକ ସଂକ୍ରାମକ ବୋଲି ଅଜୟ ପରିଡ଼ା କହିଛନ୍ତି ।
କରୋନାର ଭୟାବହତା ଭିତରେ ଆଇଏଲଏସ୍ ନିର୍ଦ୍ଦେଶକଙ୍କ ଏଭଳି ମତ ଏବେ ପୁରା ରାଜ୍ୟ ବାସୀଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କରୋନା କଟକଣା କୁ କଡାକଡି କରାଯାଇଥିଲେ ବି ସଂକ୍ରମଣ ଉପରମୁହାଁ ରହିଛି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲା ଏବେ ଚିନ୍ତା ବଢାଇଥିବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଭୟ ଦ୍ୱିଗୁଣିତ କରିଛନ୍ତି ଯାହାକୁ ନେଇ ରେଲୱେ ଷ୍ଟେସନ୍ ଓ ଏୟାରପୋର୍ଟ ଆଦିରେ ସ୍କ୍ରିନିଂ ଯୋରଦାର କରାଯାଇଛି ।
ବର୍ତମାନ ରାଜ୍ୟର କୋଭିଡ୍ ସ୍ଥିତି କୁ ନେଇ ରାଜ୍ୟ ସରକାର ସମୀକ୍ଷା ଜାରି ରଖିଛନ୍ତି ଓ ଆଗକୁ ସଂକ୍ରମଣ ଅଣାୟତ ହେଲେ ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି ବୋଲି ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।