ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାସାୟନିକ ପଦାର୍ଥ ଭର୍ତ୍ତି ଏକ ଟ୍ୟାଙ୍କରରେ ସୋମବାର ପୂର୍ବାହ୍ଣଷର ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସିଗାଚି କେମିକାଲ୍ସରେ ଏହି ବିସ୍ଫୋରଣ ଘଟିଥିଲା।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକାରୀମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଯଦିଓ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ପ୍ରାଥମିକ ଭାବରେ ଅନୁମାନ କରାଯାଉଛି ଯେ ରିଆକ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିସ୍ଫୋରଣ ହୋଇଥାଇପାରେ। କାରଖାନାରେ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ ତାହା ଅଧିକାରୀମାନେ ତଦନ୍ତ କରୁଛନ୍ତି।