ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଅଗଷ୍ଟ ୩୦ରେ ବିଜେପିରେ ଯୋଗ ଦେବେ। ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସାକ୍ଷାତ ସମୟରେ ସେ ଅମିତ ଶାହାଙ୍କ ସହ ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।
ଏହି ଅବସରରେ ଝାଡ଼ଖଣ୍ଡ ବିଜେପିର ନିର୍ବାଚନ ସହ ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ରାତି ସାଢ଼େ ୧୧ଟାରେ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଚମ୍ପାଇ ସୋରେନ ଅଗଷ୍ଟ ୩୦ରେ ରାଞ୍ଚିରେ ବିଜେପିରେ ଯୋଗ ଦେବେ।
ଦିଲ୍ଲୀରେ ଶାହଙ୍କ ସହ ସାକ୍ଷାତ ସମୟରେ ଚମ୍ପାଇଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ଥିଲେ। ବାବୁଲାଲ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ସ୍ଥିର ହୋଇଛି। ସେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଚମ୍ପାଇ ସୋରେନ ମଙ୍ଗଳବାର ଦିଲ୍ଲୀରୁ ଝାଡ଼ଖଣ୍ଡ ଫେରିବେ। ଅଗଷ୍ଟ ୨୮ ବୁଧବାର ସେ ଜେଏମ୍ଏମ୍ ଏବଂ ହେମନ୍ତ କ୍ୟାବିନେଟ୍ରୁ ଇସ୍ତଫା ଦେବେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ହେମନ୍ତ ସରକାରରେ ମନ୍ତ୍ରୀ ଥିବା ବେଳେ ଜେଏମ୍ଏମ୍ର ବିଦ୍ରୋହୀ ସ୍ୱର ଗ୍ରହଣ କରି ଚମ୍ପାଇ ସୋରେନ ଗତ ୧୦ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଗତ ସପ୍ତାହରେ ଦିଲ୍ଲୀରେ ୩ ଦିନ କ୍ୟାମ୍ପ କରି ଝାଡ଼ଖଣ୍ଡ ଫେରିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଇତିମଧ୍ୟରେ ଇଣ୍ଟରନେଟ ମିଡିଆରେ ଏକ ପୋଷ୍ଟରେ ଚମ୍ପାଇ ଅପମାନିତ ଅନୁଭବ କରିବା କାରଣରୁ ତାଙ୍କ ପୁରୁଣା ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଅଲଗା ହେବା ର ଘୋଷଣା କରିଥିଲେ। ପରେ ସେ ଏକ ଅଲଗା ସଂଗଠନ ଗଠନ କରିବାକୁ ମଧ୍ୟ କହିଥିଲେ। ତେବେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଥମିବାର ନାଁ ନେଉନଥିଲା।
ଅଧିକ ପଢ଼ନ୍ତୁ: ୧୫ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି