ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତିରେ ଦଳାଚକଟା ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସରକାର କହିଛନ୍ତି।
ରେଳବାଇ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାର ଘଟଣାର ଅନୁଧ୍ୟାନ କରିବା ପାଇଁ ରେଳ ଷ୍ଟେସନରେ ପହଞ୍ଚି ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉପରାଜ୍ୟପାଳ ଭିକେ ସକ୍ସେନା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ମହାକୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ପାଇଁ ପ୍ରୟାଗରାଜ ଯାଉଥିବା ଭକ୍ତଙ୍କ ଏକ ବିଶାଳ ଭିଡ଼ ଯୋଗୁଁ ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫ ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାଟି ରାତି ପ୍ରାୟ ୮.୩୦ ସମୟରେ ପ୍ଲାଟଫର୍ମ ନମ୍ବର ୧୪/୧୫ରେ ଘଟିଥିଲା, ଯେତେବେଳେ ଯାତ୍ରୀମାନେ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଏହି ଟ୍ରେନ୍ ଗୁଡ଼ିକ ଆସି ନଥିଲା, ଯାହା ଫଳରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ଜମି ଯାଇଥିଲା।
ଅଧିକ ପଢ଼ନ୍ତୁ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର