ନୂଆଦିଲ୍ଲୀ: ଭାରତ ସମେତ ପୂରା ବିଶ୍ବରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ସ୍ବାସ୍ଥ୍ୟ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଯୋଗ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତୀୟ ଋଷି ପରଂପରାର ଗୁରୁତ୍ବୂର୍ଣ୍ଣ ଅଂଶବିଶେଷ ପାଲଟିଛ ଯୋଗ। ଯୋଗ ଶରୀର ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ। ପୂରା ବିଶ୍ବରେ ଭାରତୀୟ ସଂସ୍କୃତି ଓ ପରଂପରାର ସମ୍ମାନ ହେଉଛି। ଯୋଗ ସମସ୍ତଙ୍କ ପାଇଁ, ଏଥିରେ କୌଣସି ଭେଦଭାବ ନାହିଁ ବୋଲି ଯୋଗୀ କହିଛନ୍ତି।
ଯୋଗୀଙ୍କ ଭଳି ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଜି ଯୋଗ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ମନ୍ତ୍ରୀମାନଙ୍କ ସହିତ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୋଗ କରିଛନ୍ତି। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବିରୱା ଏବଂ ଅନ୍ୟ ମନ୍ତ୍ରିମାନେ ମଧ୍ୟ ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଶର୍ମା କହିଛନ୍ତି, ସମସ୍ତେ ଯୋଗ କରନ୍ତୁ ଓ ସୁସ୍ଥ ରୁହନ୍ତୁ।
ହରିୟାଣା ମୁଖ୍ୟମନ୍ତ୍ରୀ ନାୟ ସିଂହ ସଇନି ଆଜି ହିସାରରେ ଯୋଗ କରିଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ପଟେଲ ବାନଶକାଣ୍ଟା ଜିଲ୍ଲା ନଡାବେଟରେ ଯୋଗ କରିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିଛନ୍ତି।