ନୂଆଦିଲ୍ଲୀ: ବିମାନଗୁଡ଼ିକୁ ବାରମ୍ବାର ଧମକ ମିଳୁଛି। ବିଗତ କିଛି ଦିନ ହେଲା ଏହା ଜାରି ରହିଛି। ଶୁକ୍ରବାର ଦିନ ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଭିସ୍ତାରା ବିମାନ (ୟୁକେ୧୭)କୁ ବୋମା ଧମକ ମିଳିବା ପରେ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରାଯାଇଥିଲା। ଫ୍ରାଙ୍କଫର୍ଟରେ ବିମାନଟି ଜରୁରୀ କାଳୀନ ଅବତରଣ କରିଥିଲା।
ଶନିବାର ସକାଳେ ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ ବିମାନଟି ଫ୍ରାଙ୍କଫର୍ଟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ବାଧ୍ୟତାମୂଳକ ଯାଞ୍ଚ କରାଯାଉଛି। ସୁରକ୍ଷା ଏଜେନ୍ସିଙ୍କ ଠାରୁ ଅନୁମତି ମିଳିବା ପରେ ବିମାନଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରିବ।
ଅନ୍ୟପକ୍ଷରେ ଆକାସା ଏୟାର ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ବେଙ୍ଗାଲୁରୁରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏହାର ବିମାନ କ୍ୟୁପି୧୩୬୬କୁ ଉଡ଼ାଣର କିଛି ସମୟ ପୂର୍ବରୁ ସୁରକ୍ଷା ସତର୍କସୂଚନା ମିଳିଥିଲା।
ଗତ କିଛି ଦିନ ମଧ୍ୟରେ ୪୦ଟି ବିମାନକୁ ବୋମା ଧମକ ମିଳିଛି। ତେବେ ଏହି ସବୁ ଧମକ ଗୁଜବରେ ପରିଣତ ହୋଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅପରାଧୀମାନଙ୍କୁ ନୋ ଫ୍ଲାଇ ଲିଷ୍ଟରେ ରଖିବା ସମେତ ଏୟାରଲାଇନ୍ସଗୁଡ଼ିକୁ ମିଥ୍ୟା ବୋମା ଧମକ ଦେବା ଘଟଣାକୁ ରୋକିବା ପାଇଁ କଠୋର ନିୟମ ଲାଗୁ କରିବାକୁ ଯୋଜନା କରୁଛି।
ଅଧିକ ପଢ଼ନ୍ତୁ: ସାତ ଦିନ ଧରି ସାଧନା କରୁଥିଲେ ପରିବାର