ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଉପରେ ଛାଇ ରହିଥିବା ସଙ୍କଟର ବାଦଲ ହଟିବାରେ ଲାଗିଛି । ଟି-୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଏସିଆ କପ୍ ୨୦୨୫କୁ ନେଇ ଢାକାରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ବୈଠକ ହେବାର ଥିଲା । ମାତ୍ର ବିସିିସିଆଇ ଏହି ବୈଠକରେ ଯୋଗ ଦେବାକୁ ମନା କରିବା ପରେ ଏହାକୁ ଦୁବାଇ ସ୍ଥାନାନ୍ତର କରାଯାଇଛି । ଭାରତ ଅନଲାଇନରେ ଏହି ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଏବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ସମ୍ଭାବିତ ତାରିଖ ସାମ୍ନାକୁ ଆସିଛି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଟି-୨୦ ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇପାରେ । ଦୁଇଟି ସହରରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରେ । ଏହି ଦୁଇ ସହର ହେଉଛି ଦୁବାଇ ଓ ଆବୁଧାବି । ଟୁର୍ଣ୍ଣାମେଣ୍ଟର ରୂପ ରେଖା ଚୂଡାନ୍ତ କରାଯାଉଛି । ଏହା ନିଶ୍ଚିତ ଯେ ଏଥର ୮ଟି ଦଳ ସହ ଟି-୨୦ ଫର୍ମାଟରେ ଏସିଆ କପ୍ ଖେଳାଯିବ । ୫ ପୂର୍ଣ୍ଣ ସଦସ୍ୟ ସହିତ ଏସିସି ପ୍ରିମିୟର କପର ୩ ବିଜେତା ଟୁର୍ଣ୍ଣାମେଣ୍ଟ ଖେଳିବେ ।
ପାଞ୍ଚ ପୂର୍ଣ୍ଣ ସଦସ୍ୟ ହେଉଛନ୍ତି ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ । ଏସିସି ପ୍ରିମିୟର କପ୍ ଜିତିଥିବା ୩ ବିଜେତା ହେଉଛନ୍ତି ୟୁଏଇ, ଓମାନ ଓ ହଂକଂ । ଏହିପରି ୮ଟି ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଏସିଆ କପ୍ ଖେଳାଯାଇପାରେ । ଟି-୨୦ ବିଶ୍ୱକପ୍ ୨୦୨୬କୁ ଦୃଷ୍ଟିରେ ରଖି ଏଥର ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ ।