ନୂଆଦିଲ୍ଲୀ: ଭାରତର ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ଗୁଜୁରାଟ ଆଡକୁ କ୍ଷେପଣାସ୍ତ୍ର ଏବଂ ୨୦୦ ଡ୍ରୋନ ମାଡ କରିଥିଲା। କିନ୍ତୁ ପଡ଼ୋଶୀ ଦେଶର ପ୍ରତ୍ୟେକ ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରିଦେଇଥିବାରୁ ସାମରିକ ପ୍ରତିଷ୍ଠାନ, ସୈନିକ କିମ୍ବା ସାଧାରଣ ନାଗରିକଙ୍କର କୌଣସି କ୍ଷତି ହୋଇପାରି ନାହିଁ। ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ବିଏସ୍ଏଫ୍ ଗୁଜରାଟ ଫ୍ରଣ୍ଟିୟର ଇନ୍ସପେକ୍ଟର ଜେନେରାଲ ଅଭିଷେକ ପାଠକ କହିଛନ୍ତି, ପାକିସ୍ତାନ ସୀମାରେ ଟ୍ୟାଙ୍କ ଏବଂ ଭାରୀ ତୋପ ମଧ୍ୟ ମୁତୟନ କରିଛି। ପରବର୍ତ୍ତୀ ସମୟରେ ଆମର ପ୍ରତିକ୍ରିୟାକୁ ଉନ୍ନତ କରିବା ପାଇଁ ସବୁକିଛି ବିଶ୍ଳେଷଣ କରାଯାଉଛି।
ରାଜସ୍ଥାନର ବାରମେରରୁ ଗୁଜରାଟର କଚ୍ଛ ଜିଲ୍ଲା ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସୀମାକୁ ବିଏସ୍ଏଫ୍ ସୁରକ୍ଷା କରେ। ଅପରେସନ ସିନ୍ଦୂର ସମୟରେ ବିଏସ୍ଏଫ୍ର ଭୂମିକା ଉପରେ ଗାନ୍ଧୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ପାଠକ କହିଛନ୍ତି, ରାଜସ୍ଥାନରୁ କଚ୍ଛ ପର୍ଯ୍ୟନ୍ତ ଆମ ସୀମାକୁ ପାକିସ୍ତାନ ପଠାଇଥିବା ପ୍ରାୟ ୬୦୦ ଡ୍ରୋନ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଗୁଜୁରାଟରେ ପ୍ରବେଶ କରିଥିଲା। ଆମେ ସେନା ଏବଂ ଭାରତୀୟ ବାୟୁସେନା ସହାୟତାରେ ଆକ୍ରମଣକୁ ବିଫଳ କରିଥିଲୁ। ଆମର ବାହିନୀ କିମ୍ବା ସାଧାରଣ ନାଗରିକଙ୍କର କୌଣସି କ୍ଷତି ହୋଇନାହିଁ। ଏହି ଡ୍ରୋନଗୁଡ଼ିକ ମଧ୍ୟରୁ କିଛି ଖସାଇ ଦିଆଯାଇଥିଲା।
ଭାରତ ପାକିସ୍ତାନ ସୀମା ଏବଂ ପିଓକେରେ ପ୍ରବେଶ କରି ‘ଅପରେସନ୍ ସିନ୍ଦୂର’ କରିଥିଲା। ଏହି ଅପରେସନ୍ରେ ଆତଙ୍କବାଦୀ ସେମାନଙ୍କର ସହଯୋଗୀ ଏବଂ ପାକିସ୍ତାନୀ ସାମରିକ କର୍ମଚାରୀଙ୍କ ସମେତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଗଡ଼ ବାହାୱଲପୁରର ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାହାୱଲପୁରରେ ନିହତ ହୋଇଥିବା ଅନେକ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ପାକିସ୍ତାନୀ ସେନା ମଧ୍ୟ ବହୁ କ୍ଷତି ସହିଛି, ଅନୁମାନ କରାଯାଉଛି ଯେ ୩୫ରୁ ୪୦ ସାମରିକ କର୍ମଚାରୀ ନିହତ ହୋଇଛନ୍ତି। ପାକିସ୍ତାନ କେବଳ ୧୧ ସୈନିକଙ୍କ ମୃତ୍ୟୁ ଏବଂ ୭୮ ଆହତ ହୋଇଥିବା କଥାକୁ ସରକାରୀ ଭାବରେ ଗ୍ରହଣ କରିଛି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ-ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା