ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ମଙ୍ଗଳବାର ବିଳମ୍ବିତ ରାତିରେ ବୋମା ଧମକ ମିଳିଥିଲା। କିନ୍ତୁ ବନ୍ଦର ସହରରେ ଅବତରଣ କରିବା ପରେ ବ୍ୟାପକ ସ୍କ୍ରିନିଂ ପରେ ଏହି ଗୁଜବ ସାମ୍ନାକୁ ଆସିଥିଲା। ବିଶାଖାପାଟଣା ବିମାନବନ୍ଦର ନିର୍ଦ୍ଦେଶକ ଏସ ରାଜା ରେଡ୍ଡୀ କହିଛନ୍ତି ଯେ ଦିଲ୍ଲୀ ପୁଲିସକୁ ବୋମା ଧମକ କଲ୍ ଆସିଥିଲା ଏବଂ ଏୟାରଲାଇନ୍ସ ଏବଂ ବିଶାଖାପାଟଣା ବିମାନବନ୍ଦରକୁ ସତର୍କ କରାଯାଇଥିଲା।
ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ବିମାନର ପୂରା ଯାଞ୍ଚ କରିବା ପରେ ଏହା ଏକ ମିଥ୍ୟା କଲ୍ ବୋଲି ଜଣାପଡ଼ିଥିଲା। ଭାଇଜାଗ ଅଭିମୁଖେ ଯାଉଥିବା ବିମାନରେ ୧୦୭ ଜଣ ଯାତ୍ରୀ ଥିଲେ। ନିର୍ଦ୍ଦେଶକ କହିଛନ୍ତି ଯେ ଯେତେବେଳେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଯାଞ୍ଚ କରାଯାଇଥିଲା, ସେତେବେଳେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା।
ସୂଚନାଯୋଗ୍ୟ, ଗତମାସ ୨୨ ତାରିଖରେ ଏୟାର ଇଣ୍ଡିଆର ଏକ ବିମାନକୁ ଏଭଳି କିଛି ଧମକ ମିଳିଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟ ଆତଙ୍କ ଖେଳି ଯାଇଥିଲା। ମମ୍ବାଇରୁ ଥିରୁବନ୍ତପୁରମ୍ରେ ପହଞ୍ଚିଥିବା ଏୟାର ଇଣ୍ଡିଆର ବିମାନ AI 657ରେ ବୋମା ଥିବା ଧମକ ମିଳିବା ପରେ ପୂରା ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଥିଲା। ଏହାପରେ ଏୟାର ଇଣ୍ଡିଆ ବିମାନ AI 657କୁ ବିମାନ ବନ୍ଦରରେ ନିରାପଦରେ ଅବତରଣ କରାଯାଇଥିଲା। ବିମାନକୁ ଆଇସୋଲେସନରେ ରଖାଯାଇଥିଲା। କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।
ଅଧିକ ପଢ଼ନ୍ତୁ: କାନ୍ଦାହାର ଅପହରଣ ସମୟରେ ଭାରତରେ ଅଶାନ୍ତି ସୃଷ୍ଟି ହୋଇଥିଲା କି?