କୁହନ୍ତି ପ୍ରେମ କେବେ ହାରେନା, ପ୍ରେମ କେବେ ମରେନା | ଶେଷରେ ମନ ମିଶିବା ସହ ଦୁଇ ଆତ୍ମାର ମଧ୍ୟ ମିଳନ ହୋଇଛି | ଗାଁ ଦାଣ୍ଡରେ ପଡିଛି ହାତଗଣ୍ଠି । ଦୀର୍ଘ ଦିନର ମତାନ୍ତର ପରେ ମିଶିଲା ଦୁଇ ପ୍ରେମୀ ଯୁଗଳଙ୍କ ମନ। ସମ୍ପୂର୍ଣ ଗାଁ ଲୋକ ଓ ସମାଜସେବୀଙ୍କ ଉପସ୍ତିତିରେ ସରିଲା ବିବାହ | ମଥାରେ ସିନ୍ଦୂର, ହାତରେ ସଂଖା ଲଗେଇ ମନର ମଣିଷ ଦୁଷ୍ମନ୍ତକୁ ବିବାହ କଲେ ପ୍ରେମିକ ଘର ଆଗରେ କିଛିଦିନ ତଳେ ଧାରଣା ଦେଇଥିବା ଟିନା ।
ତେବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଗାଲେରି ଗାଁର ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ | ବ୍ରହ୍ମପୁର ଗୋଶାଣୀ ନୂଆଗାଁରେ ଟିନାଙ୍କ ଘର । ଏକ ବିବାହ ଉତ୍ସବରେ ତାଙ୍କର ଗଲେରି ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ସହ ଦେଖାହେଇଥିଲା । ଆଉ ସେବେଠାରୁ ଗଢି ଉଠିଥିଲା ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ | ଗତ ତିନିବର୍ଷ ହେଲା ସେମାନେ ପ୍ରେମସମ୍ପର୍କରେ ରହିଥିଲେ । ହେଲେ ପୁଅ ଘର ଲୋକ ଏହି ସମ୍ପର୍କରେ ଜାଣିବାପରେ ବିବାହ ପାଇଁ ରାଜି ହୋଇନଥିଲେ । ପରିବାର ରାଜିନଥିବାରୁ ଟିନାଙ୍କୁ ବିବାହ କରିବାକୁ ମନା କରିଥିଲେ ଦୁଷ୍ମନ୍ତ । ଆଉ ସେଥିପାଇଁ ଗତ ପାଞ୍ଚ ଦିନ ହେଲା ପ୍ରେମୀକ ଘର ଆଗରେ ଧାରଣାରେ ବସିଥିଲେ ଟିନା । ହେଲେ ତାଙ୍କୁ ଦେଖି ଦୁଷ୍ମନ୍ତଙ୍କ ଘର ଲୋକ ତାଲା ପକାଇ କୁଆଡେ ଫେରାର ହୋଇଯାଇଥିଲେ ।
ସମାଜସେବୀ ପ୍ରମିଳା ତ୍ରିପାଠୀ ଝିଅର ପକ୍ଷ ନେଇ ଯେତେବେଳେ ଦାବିକୁ ଜୋରଦାର କରିଥିଲେ ସେତେବେଳେ ହୁଏତ ଦୁଷ୍ମନ୍ତଙ୍କ ଅନ୍ତର ତରଳି ଥିଲା | ଆଉ ବିବାହ ପାଇଁ ଜିଦ ଧରି ଧାରଣାରେ ବସିଥିବା ଟିନାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ଦୁଷ୍ମନ୍ତ । ପୁଅ ରାଜି ହେବ ପରେ ଆଉ ଲୋକଲଜ୍ୟା ଭୟରେ ଦୁଷ୍ମନ୍ତଙ୍କ ପରିବାର ମଧ୍ୟ ବିବାହ ପ୍ରସ୍ତାବରେ ଶେଷରେ ରାଜି ହେଲେ | ଶେଷରେ ବହୁତ ବୁଝାମଣା ପରେ ସାହିବାସିନ୍ଦା ଓ ସମାଜସେବୀଙ୍କ ନିଷ୍ପତ୍ତି କ୍ରମେ ଗାଁ ଦାଣ୍ଡରେହିଁ ଟିନା ଆଉ ଦୁଷ୍ମନ୍ତ ପରସ୍ପରକୁ ବିବାହ କରିଲେ | ଏଭଳି ଏକ ନିଆରା ବାହାଘର ଦେଖିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଖୁବ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଶେଷରେ ସମାଜ ପାଇଁ ଏହା ଏକ ଉଦାହରଣ ମଧ୍ୟ ପାଲଟିଗଲା ।