୭୬ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର । ଦିନେ ଘଞ୍ଚ ଜଙ୍ଗଲ ଭରା ଥିବା ଅଞ୍ଚଳ ଆଜି ପାଲଟିଛି କଂକ୍ରିଟ ସ୍ମାର୍ଟ ସହର । ବଡ଼ ବଡ଼ ଅଟ୍ଟାଳିକା ସାଙ୍ଗକୁ ଚକାଚକ ରାସ୍ତା ଆଉ ଦୋକାନ ବଜାରରେ ରାଜଧାନୀ ଆଜି ସ୍ମାର୍ଟସିଟିରେ ପରିଚିତ ହୋଇଛି ଭୁବନେଶ୍ୱର । ରାଜଧାନୀର ପ୍ଲାଟିନମ୍ ଜୁବ୍ଲି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ୩ ଦିନିଆ ଉତ୍ସବ ସହ ପ୍ରତିଷ୍ଠା ଦିବସ ପାଇଁ ବେଶ୍ ଚଳଚଞ୍ଚଳ ବିଏମ୍ସି କାର୍ଯ୍ୟାଳୟ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ। ସେତେବେଳେ ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଲଟିଲା ଓଡିଶାର ନୂଆ ରାଜଧାନୀ। ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିର ଦିନରେ ରାଜଧାନୀ ତଥା ମନ୍ଦିରମାଳିନୀ ଭୁବନେଶ୍ବରକୁ ଆହୁରି ସରସ ସୁନ୍ଦର କରିବା ପାଇଁ ସମସ୍ତେ ସଙ୍କଳ୍ପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ବାନ କରିଛନ୍ତି ।