କୁଲଗାମ: ଜମ୍ମୁ କଶ୍ମୀରର କୁଲଗାମରୁ ଏକ ବଡ଼ ଖବର ଆସୁଛି। ଏଠାରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୀଷଣ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ୧୦ ଜଣ ଯବାନ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏହି ଏନକାଉଣ୍ଟରରେ ସେନା ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କରିଛି।
ସୂଚନାଯୋଗ୍ୟ, କୁଲଗାମରେ ୯ ଦିନ ହେଲା ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ଡ୍ରୋନ ଏବଂ ହେଲିକପ୍ଟର ସମେତ ସମସ୍ତ ଆବଶ୍ୟକୀୟ ଉପାୟ ବ୍ୟବହାର କରୁଛନ୍ତି। ଚିନାର କର୍ପସ ଏହାକୁ ନିଶ୍ଚିତ କରି ଟ୍ୱିଟ୍ କରିଛି। ଏହି ଟ୍ୱିଟରେ ଲେଖାଯାଇଛି ଯେ ଅପଡେଟ୍: ଓପି ଅଖଲ, କୁଲଗାମ... ଦେଶ ପାଇଁ କର୍ତ୍ତବ୍ୟ ପାଳନ କରୁଥିବା ବୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରିତପାଲ ସିଂହ ଏବଂ ସିପାହୀ ହରମିନ୍ଦର ସିଂହଙ୍କ ସର୍ବୋଚ୍ଚ ବଳିଦାନକୁ ଚିନାର କର୍ପସ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେମାନଙ୍କ ସାହସ ଏବଂ ସମର୍ପଣ ସର୍ବଦା ଆମକୁ ପ୍ରେରଣା ଦେବ। ଭାରତୀୟ ସେନା ଗଭୀର ସମବେଦନା ପ୍ରକାଶ କରୁଛି ଏବଂ ଶୋକସନ୍ତପ୍ତ ପରିବାର ସହିତ ଏକତା ପ୍ରକାଶ କରୁଛି।
ଜମ୍ମୁ ଓ କାଶ୍ମୀରର କୁଲଗାମର ଅଖଲ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟର ହେଉଛି ଉପତ୍ୟକାର ସବୁଠାରୁ ଦୀର୍ଘ ଆତଙ୍କବାଦୀ ବିରୋଧୀ ଅଭିଯାନ ମଧ୍ୟରୁ ଗୋଟିଏ। ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀର ଜିଲ୍ଲାର ଅଖଲର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏକ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।
ଜମ୍ମୁ କଶ୍ମୀର ପୋଲିସ ମୁଖ୍ୟ ନଲିନ ପ୍ରଭାତ ଏବଂ ସେନାର ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଏବଂ ସେନା ଅଧିକାରୀମାନେ ଏହି ଅପରେସନ ଉପରେ ରାତିସାରା ନଜର ରଖିଛନ୍ତି। ସୁରକ୍ଷା ବାହିନୀ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଡ୍ରୋନ ଏବଂ ହେଲିକପ୍ଟର ବ୍ୟବହାର କରିଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବାରେ ପାରା କମାଣ୍ଡୋମାନେ ମଧ୍ୟ ସୁରକ୍ଷା ବାହିନୀକୁ ସାହାଯ୍ୟ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଏନକାଉଣ୍ଟର ବେଳେ ୪ଜଣ ସୈନିକ ଆହତ