ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ମଧ୍ୟ-ପ୍ରାଚ୍ୟରେ ଏବେ 'ୱାଟର ୱାର' ବା ଜଳ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଇରାନ ଚେତାବନୀ ଦେଇଛି କି ଯଦି ତା’ର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ହୁଏ, ତେବେ ସେ ଜବାବରେ ସାରା ଅଞ୍ଚଳରେ ଥିବା ଜଳ ବିଶୋଧନ କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରିବ।
ଉପସାଗରୀୟ ରାଷ୍ଟ୍ରରେ ପାଣି ପାଇଁ ହାହାକାର ଆଶଙ୍କା
ଉପସଗାରୀୟ ଦେଶଗୁଡ଼ିକ ପାନୀୟ ଜଳ ପାଇଁ ସମ୍ପୂର୍ଣ୍ଣ ଭାବେ 'ଡିସାଲିନେସନ୍ ପ୍ଲାଣ୍ଟ' ବା ସମୁଦ୍ର ପାଣିକୁ ମିଠା କରୁଥିବା କେନ୍ଦ୍ର ଉପରେ ନିର୍ଭର କରନ୍ତି। ଯଦି ଏହି ପ୍ଲାଣ୍ଟଗୁଡ଼ିକ ଉପରେ ଆକ୍ରମଣ ହୁଏ, ତେବେ କୋଟି କୋଟି ଲୋକ ପାଣି ପାଇଁ ଡହଳବିକଳ ହେବେ।
କାହିଁକି ବଢ଼ିଲା ବିବାଦ?
ଆମେରିକାର ଚେତାବନୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଯଦି ଇରାନ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ବନ୍ଦ କରେ, ତେବେ ଆମେରିକା ଇରାନର ପାୱାର ପ୍ଲାଣ୍ଟଗୁଡ଼ିକୁ ଧ୍ୱଂସ କରିଦେବ। ଏହାର ପ୍ରତିକ୍ରିୟାରେ ଇରାନର ସାମରିକ କମାଣ୍ଡ କହିଛି ଯେ ଯଦି ଆମର ଶକ୍ତି କେନ୍ଦ୍ରକୁ କ୍ଷତି ପହଞ୍ଚାଯାଏ, ତେବେ ଆମେରିକା ଓ ତା’ର ସହଯୋଗୀ ଦେଶମାନଙ୍କର ସମସ୍ତ ଆଇଟି ସେକ୍ଟର ଏବଂ ଜଳ ବିଶୋଧନ ପ୍ଲାଣ୍ଟକୁ ଟାର୍ଗେଟ୍ କରାଯିବ।
ଏପର୍ଯ୍ୟନ୍ତ କେଉଁଠି ହୋଇଛି ଆକ୍ରମଣ?
• ଇରାନ: ମାର୍ଚ୍ଚ ୭ ରେ ଇରାନ ଅଭିଯୋଗ କରିଥିଲା ଯେ ଆମେରିକା ତା’ର 'କେଶ୍ମ ଆଇଲ୍ୟାଣ୍ଡ' ରେ ଥିବା ଏକ ଜଳ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି, ଯାହାଦ୍ୱାରା ୩୦ଟି ଗାଁକୁ ପାଣି ଯୋଗାଣ ବନ୍ଦ ହୋଇଯାଇଛି।
• ବହରିନ: ବହରିନ ମଧ୍ୟ ଅଭିଯୋଗ କରିଛି ଯେ ଏକ ଇରାନୀ ଡ୍ରୋନ୍ ଆକ୍ରମଣରେ ତାଙ୍କର ଏକ ଜଳ ବିଶୋଧନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି।
ଜଳ ସଙ୍କଟର ଭୟାବହତା
ବିଶେଷଜ୍ଞଙ୍କ ଅନୁଯାୟୀ, ସାଉଦି ଆରବ, ୟୁଏଇ, କୁଏତ ଏବଂ କତାର ଭଳି ଦେଶରେ ବର୍ଷା ବହୁତ କମ୍ ହୁଏ। ଏହି ଦେଶଗୁଡ଼ିକ ନିଜର ୯୦% ପାନୀୟ ଜଳ ଆବଶ୍ୟକତା ଏହି ପ୍ଲାଣ୍ଟ ମାଧ୍ୟମରେ ପୂରଣ କରନ୍ତି। ଯଦି ଏହି ଭିତ୍ତିଭୂମି ଉପରେ ବଡ଼ ଧରଣର ଆକ୍ରମଣ ହୁଏ, ତେବେ ଏହା ଏକ ମାନବିକ ସଙ୍କଟ ସୃଷ୍ଟି କରିବ। ଏହି ଯୁଦ୍ଧ ଏବେ କେବଳ ସୀମା ବା ସେନା ମଧ୍ୟରେ ସୀମିତ ନ ରହି ଲୋକଙ୍କ ମୌଳିକ ଆବଶ୍ୟକତା 'ଜଳ' ଉପରେ ଆସି ପହଞ୍ଚିଛି।