ନୂଆଦିଲ୍ଲୀ: ଅନେକ ବାଧା, ବାତିଲ, ସମସ୍ୟା ଓ ସମାଲୋଚନା ପରେ ଶେଷରେ ପୁଣି ଥରେ ନିଜ ପାଦରେ ଛିଡ଼ା ହୋଇଛି ଇଣ୍ଡିଗୋ । କମ୍ପାନୀ ସିଇଓ ପିଟର୍ ଏଲବର୍ସ ମଙ୍ଗଳବାର ଘୋଷଣା କରିଛନ୍ତି ବର୍ତ୍ତମାନ ଇଣ୍ଡିଗୋର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି ଏବଂ ବିମାନ ଚଳାଚଳ ଧିରେ ଧିରେ ସ୍ୱାଭାବିକ ହେଉଛି ।
ଏଲବର୍ସ ଏକ ଭିଡ଼ିଓ ଜରିଆରେ ନିଜେ ସମ୍ବୋଧିତ କରି, ବାତିଲ ଯୋଗୁଁ ହୋଇଥିବା ଅସୁବିଧା ପାଇଁ ଯାତ୍ରୀମାନଙ୍କଠାରୁ "କ୍ଷମା ପ୍ରାର୍ଥନା" କରିଛନ୍ତି । ଏକ ବଡ଼ କାର୍ଯ୍ୟକ୍ଷମ ବାଧା ଘଟିବା ସମୟରେ ଆମେ ଆପଣଙ୍କୁ ନିରାଶ କରିଛୁ ଏବଂ ଏଥିପାଇଁ ଆମେ ଦୁଃଖିତ ବୋଲି ସେ କହିଛନ୍ତି।
ବିମାନ କମ୍ପାନୀ ନିଶ୍ଚିତ କରିଛି ଯେ ଏହାର ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଫସି ରହିଥିବା ଏବଂ ବିଳମ୍ବ ହୋଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛି । ସେହି ସମୟରେ "କୌଣସି ପ୍ରଶ୍ନ ନ ପଚରାଯାଇ" ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏବଂ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମଧ୍ୟ କରାଯାଉଛି । ଏହି ପ୍ରକ୍ରିୟା ପ୍ରତିଦିନ ଜାରି ରହିଛି । ଏହା ବ୍ୟତୀତ ଟିମ୍ ଗୁଡ଼ିକ "ବିମାନବନ୍ଦରରେ ଫସି ରହିଥିବା ଅଧିକାଂଶ ବ୍ୟାଗ" ଫେରାଇବା ପାଇଁ କାମ କରୁଛନ୍ତି ଏବଂ ବାକି ବିତରଣ ପ୍ରକ୍ରିୟା ଯଥା ଶୀଘ୍ର କରାଯିବ ବୋଲି ଏଲବର୍ସ ଆଶା ରଖିଛନ୍ତି ।
ଏଲବର୍ସ ବିମାନ ନେଟୱାର୍କର ଦ୍ରୁତ ପୁନରୁଦ୍ଧାର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ବିମାନ ଯାତ୍ରା ପୁନରୁଦ୍ଧାର କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ।ଡିସେମ୍ବର ୫ ରେ ମାତ୍ର ୭୦୦ ଉଡ଼ାଣରୁ ଆରମ୍ଭ କରି, ଡିସେମ୍ବର ୬ ରେ ୧,୫୦୦, ଡିସେମ୍ବର ୭ ରେ ୧,୬୫୦, ଏବଂ ଡିସେମ୍ବର ୮ ଏବଂ ଡିସେମ୍ବର ୯ ରେ ୧,୮୦୦ ରୁ ଅଧିକ ବିମାନର ଉଡ଼ାଣ ସମୟରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଉଛି । ସିଇଓ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଡିସେମ୍ବର ୯ ସୁଦ୍ଧା ଏୟାରଲାଇନ୍ସ ଏହାର ପୁନରୁଦ୍ଧାର ସମୟସୀମାକୁ ଆହୁରି ତ୍ୱରାନ୍ୱିତ କରିବା ।
ଏଲବର୍ସ କହିଛନ୍ତି ଯେ ବିମାନ କମ୍ପାନୀ ଏହି ସଙ୍କଟରୁ ଶିକ୍ଷା ଲାଭ କରି ଆଗକୁ ମଜବୁତ ହୋଇ ଛିଡ଼ା ହେବାକୁ ଚେଷ୍ଟା କରୁଛି । ଏହା ସହିତ କମ୍ପାନୀ ଉପରେ ବିଶ୍ୱାସ ବଜାୟ ରଖିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ଏହି କଷ୍ଟକର ସମୟରେ ଧୈର୍ଯ୍ୟ, ବୁଝାମଣା ଏବଂ ସମର୍ଥନ ପାଇଁ ମଧ୍ୟ ସେ ଯାତ୍ରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।