ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରୀକ-ଏ-ଇନସାଫର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ବଡ଼ ଖବର ସାମ୍ନାକୁ ଆସିଛି । ଇମ୍ରାନଙ୍କ ଭଉଣୀ ଡାକ୍ତର ଉଜମା ଖାନ ତାଙ୍କୁ ଭେଟିଛନ୍ତି । ରାୱଲପିଣ୍ଡିସ୍ଥିତ ଆଦିୟାଲା ଜେଲରେ ଭାଇ ଇମ୍ରାନଙ୍କୁ ଦେଖା କରିଛନ୍ତି ।
ଉଭଣୀ ଡା. ଉଜମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଇମ୍ରାନ ଖାନ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛନ୍ତି । ଇମ୍ରାନଙ୍କୁ ଜେଲରେ ଏକଟିଆ ଗୋଟିଏ କୋଠରୀରେ ରଖାଯାଉଛି । ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ସେ ବହୁତ କ୍ରୋଧରେ ଅଛନ୍ତି । ଯାହା କିଛି ବି ହେଉଛି ସେଥିପାଇଁ କେବଳ ଆସିମ ମୁନୀର ବୋଲି ଇମ୍ରାନ ଉଜମାଙ୍କୁ କହିଥିବା ସେ କହିଛନ୍ତି ।
ଏହି ସାକ୍ଷାତ ସମୟରେ ପାକିସ୍ତାନ ପଞ୍ଜାବ ସରକାର ରାୱଲପିଣ୍ଡି ଏବଂ ଇସଲାମାବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ । ଆଠଟି ପୋଲିସ ଥାନାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜେଲ ବାହାରେ ସୁରକ୍ଷାରେ ନିୟୋଜିତ କରାଯାଇଥିଲା । ଆଦିୟାଲା ରୋଡ୍ ସହିତ ସମ୍ପୂର୍ଣ୍ଣ ରାୱଲପିଣ୍ଡି ଥାନା ଅଞ୍ଚଳରେ ପ୍ରାୟ ଆଠ କିଲୋମିଟର ଯାଏ ସିଲ୍ କରିଦିଆଯାଇଥିଲା । ଏମିତିକି ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଥିଲା । ଆଇଡି କାର୍ଡ ଦେଖି ସମସ୍ତଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅନୁମତି ପ୍ରଦାନ କରାଯାଉଥିଲା ।
2023ରୁ ଇମ୍ରାନ ଖାନ ଜେଲରେ ଅଛନ୍ତି । ମାତ୍ର ଗତ ଏକ ମାସ ହେବ ଇମ୍ରାନଙ୍କ ପରିବାରକୁ ତାଙ୍କୁ ଭେଟିବାକୁ ଦିଆଯାଉନଥିଲା । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନକୁ ନେଇ ଅନେକ ଗୁଜବ ସୃଷ୍ଟି ହେଉଥିଲା । ଇମ୍ରାନ ଖାନ ଆଉ ଜୀବିତ ନାହାଁନ୍ତି ବୋଲି ଅନେକ କହୁଥିଲେ । ଆଜି ମଧ୍ୟ ଅନେକ ସଂଖ୍ୟାରେ ଇମ୍ରାନଙ୍କ ସମର୍ଥକ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବହୁତ ତୁମ୍ବି ତୋଫାନ ପରେ ଇମ୍ରାନଙ୍କ ଉଭଣୀ ଉଜମାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଏହି ସାକ୍ଷାତ ପରେ ଅନ୍ତାର୍ଜାତୀୟ ସ୍ତରରେ ଇମ୍ରାନଙ୍କୁ ନେଇ ଉଠୁଥିବା ଅନେକ ପ୍ରଶ୍ନ ଉପରେ ବିରାମ ଲଗାଇଛି ।