ଦିଲ୍ଲୀ,ନଭେମ୍ବର 28 (ଖବର ଓଡ଼ିଶା):
ଗତ କିଛି ସମୟ ଧରି ଚୀନ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଚୀନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠାରୁ ବଡ଼ ପଦକ୍ଷେପ ଲାଗୁ କରିବ। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅଷ୍ଟ୍ରେଲୀୟ ମଦ ଉପରେ ୧୦୭.୧ ପ୍ରତିଶତରୁ ୨୧୨.୧ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଯିବ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ସହିତ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱରେ କରୋନା ଭାଇରସ ବ୍ୟାପିବା ନେଇ ଅନ୍ତର୍ଜାତୀୟ ତଦନ୍ତ ପାଇଁ ଦାବି କରିଥିଲା, ଯାହାକୁ ଚୀନ ବିରୋଧ କରିଥିଲା। ହଂକଂ ପ୍ରତି ଚୀନ୍ ମନୋଭାବକୁ ଅଷ୍ଟ୍ରେଲିଆ ମଧ୍ୟ ସମାଲୋଚନା କରିଛି। ଏହା ବ୍ୟତୀତ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଆମେରିକାର ନେତୃତ୍ୱାଧୀନ ଏସିଆ-ପ୍ରଶାନ୍ତ ମହାସାଗରୀୟ ସମନ୍ୱୟ ସମିତିରେ ଅନ୍ତର୍ଭୁକ୍ତ ରହିଛନ୍ତି । ଯାହା ଚୀନକୁ ଚେକ୍ ଦେବା ପାଇଁ ଗଠନ କରାଯାଇଛି ।
ଚୀନ୍ ଅଷ୍ଟ୍ରେଲିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଭାଗିଦାରୀ ଅଟେ। ଅଷ୍ଟ୍ରେଲିଆ ଏହାର ଅଧିକାଂଶ ମଦ ଚାଇନାକୁ ରପ୍ତାନି କରେ ୱାଇନ୍ ଅଷ୍ଟ୍ରେଲିଆ ଗ୍ରୁପ୍ ଅନୁଯାୟୀ, ୨୦୨୦ରେ ପ୍ରଥମ ନଅ ମାସରେ ମୋଟ ରପ୍ତାନୀର ୩୯ ପ୍ରତିଶତ ଚୀନକୁ ରପ୍ତାନି ହୋଇଛି। ଅଷ୍ଟ୍ରେଲୀୟ ବାଣିଜ୍ୟ ମନ୍ତ୍ରୀ ସାଇମନ୍ ବର୍ମିଂହାମ ଗଣମାଧ୍ୟମକୁ କହିଛନ୍ତି ଯେ ଚାଇନାର ବଜାରରେ ନିଜର ସ୍ଥାନ ହାସଲ କରିଥିବା ସମସ୍ତ ଅଷ୍ଟ୍ରେଲୀୟ ମଦ ଉତ୍ପାଦନକାରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ।
ଅଷ୍ଟ୍ରେଲିଆ ସରକାରରେ କୃଷି ମନ୍ତ୍ରୀ ଡେଭିଡ ଲିଟିଲପ୍ରୋଡ କହିଛନ୍ତି ଯେ, ତାଙ୍କ ସରକାର ମଦ ଶିଳ୍ପକୁ ସବୁ ଦିଗରେ ସାହାଯ୍ୟ କରିବେ। ସେ କହିଛନ୍ତି, ଚୀନର ସାମ୍ପ୍ରତିକ ନିଷ୍ପତ୍ତିକୁ ନେଇ ଆମେ ବହୁତ ଚିନ୍ତିତ। ମଦ ଶିଳ୍ପର କୌଣସି ଦୋଷ ନାହିଁ ଏବଂ ସ୍ପଷ୍ଟ ଭାବେ ଚୀନର ଏହି ନିଷ୍ପତ୍ତିର କାରଣ ଅନ୍ୟ କିଛି ରହିଛି । ବିଶ୍ୱ ବାଣିଜ୍ୟ ସଂଗଠନ ମାଧ୍ୟମରେ ଆମେ ପ୍ରତ୍ୟେକ ବିକଳ୍ପ ବ୍ୟବହାର କରିବୁ ବୋଲି ସେ କହିଛନ୍ତି ।
ଅଗଷ୍ଟ ମାସରେ ଚୀନ୍ କହିଥିଲା ଯେ, ମଦ ସବସିଡି ଏବଂ ଡମ୍ପିଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଚାଇନାରେ ଅଷ୍ଟ୍ରେଲୀୟ ମଦ ବହୁତ ଶସ୍ତା ଦରରେ ବିକ୍ରି ହୁଏ । ଚାଇନାର ମଦ ଶିଳ୍ପ ଦାବି କରିଛି ଯେ ଶସ୍ତା ଅଷ୍ଟ୍ରେଲୀୟ ମଦ ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଏଥିପାଇଁ ଅଷ୍ଟ୍ରେଲିୟା ମଦ ଉପରେ ୨୦୨.୭ ପ୍ରତିଶତ ଶୁଳ୍କ ଦାବି କରିଛନ୍ତି।