ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ । ଏହି କ୍ରମରେ ସୋମବାର ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା ସମୟରେ ଜେଲେନସ୍କିଙ୍କୁ ଟ୍ରମ୍ପ ବଡ ଇସାରା କରିଛନ୍ତି । ସେ କହିଛନ୍ତି ରୁଷ ଓ ୟୁକ୍ରେନ ମଧ୍ୟରେ ଲଢେଇ ଶୀଘ୍ର ସମାପ୍ତ ହେବ । ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧ ନିଶ୍ଚୟ ବନ୍ଦ ହେବ । ମାତ୍ର କେବେ ବନ୍ଦ ହେବ ତାହା କହି ପାରିବି ନାହିଁ ।
ଟ୍ରମ୍ପ କହିଛନ୍ତି, ଜେଲେନସ୍କି ମଧ୍ୟ ଯୁଦ୍ଧ ସମାପ୍ତ କରିବାକୁ ଚାହାନ୍ତି । ପୁଟିନ ମଧ୍ୟ ବନ୍ଦ କରିବା ପକ୍ଷରେ ଅଛନ୍ତ୍ି । ହ୍ୱାଇଟ ହାଉସରେ ଜେଲେନସ୍କି ଏବଂ ୟୁରୋପୀୟ ନେତାଙ୍କ ସହ ଆଲୋଚନା ପରେ ପୁଟିନଙ୍କ ସହ କଥା ହେବି । ଅନ୍ୟପଟେ ଜେଲେନସ୍କି ସଙ୍କେତ ଦେଇଛନ୍ତି ଯେ, ସେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପ ଓ ପୁଟିନଙ୍କ ସହ ତ୍ରିପକ୍ଷୀୟ ଆଲୋଚନା କରିବାକୁ ପ୍ରସ୍ତୁତ ।
ଟ୍ରମ୍ପ ଶୁକ୍ରବାର ରୁଷ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଏବଂ କହିଥିଲେ ଏବେ ଦାୟିତ୍ୱ ଜେଲେନସ୍କିଙ୍କର । ଜେଲେନସ୍କି ଯଦି ସର୍ତ୍ତ ମାନିବାକୁ ରାଜି ହେବେ ତେବେ ଯୁଦ୍ଧ ବନ୍ଦ ହୋଇପାରେ । ଆଜି ଦୁଇ ନେତାଙ୍କ ସହ ବୈଠକ ପରେ ଜେଲେନସ୍କିଙ୍କ ସହ ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚାନ ବେଳେ ଟ୍ରମ୍ପ କହିଛନ୍ତି, ଯଦି ସବୁ କିଛି ଠିକ୍ ରହେ ତେବେ ଆମେ ତ୍ରିପକ୍ଷୀୟ ଆଲୋଚନା ଦିଗକୁ ବଢିବୁ । ଆଉ ଏହା ଉପରେ ସହମତି ପ୍ରକାଶ କରି ଭୋଲଡିମିର ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଏହା ତ୍ରିପକ୍ଷୀୟ ବାର୍ତ୍ତାକୁ ନେଇ ଭଲ ସଙ୍କେତ ।
ଏବେ ଆଗକୁ କଣ ହେବ
ଟ୍ରମ୍ପ, ଜେଲେନସ୍କିଙ୍କ ବୈଠକ ପରେ ଦୁଇ ନେତା ୟୁରୋପୀୟ ଆୟୋଗଙ୍କ ଅଧ୍ୟକ୍ଷ ଉର୍ସୁଲ ବାନ ଡେନ ଲେୟେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବ୍ରିଟେନର ପ୍ରଧାନମନ୍ତ୍ରୀ କେଆର ଷ୍ଟାର୍ମର, ଜର୍ମାନ ଚାନସେଲର ଫ୍ରେଡରିକ ମର୍ଜ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ ଏବଂ ନାଟୋର ମହାସଚିବ ମର୍କ ରୁଟଙ୍କୁ ଭେଟିବେ ।