ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ବର୍ଷ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ବିବାଦ ଏବେ ଭିନ୍ନ ରୂପ ନେଇଛି । ଯେତେବେଳେ ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼ କରୁଛି । ଏହାର ଜବାବରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ହମାସର ଠିକଣା ଉପରେ ବୋମା ଓ ମିସାଇଲ ମାଡ଼ କରିଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏଭଳି ଗଣହତ୍ୟାର ଚିତ୍ର ସାମ୍ନାକୁ ଆସିଛି । ଯାହା ଗତ ୫୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିନଥିଲା ।ଗୋଟିଏ ପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଇସ୍ରାଏଲ୍ ସେନାର ସୂଚନା ଅନୁସାରେ, ଆତଙ୍କୀ ସଂଗଠନ ହମାସ ଗାଜା ଷ୍ଟ୍ରିପ୍ରୁ ୨ ହଜାରରୁ ଅଧିକ ଘନ ଘନ ରକେଟ୍ ମାଡ଼ ଇସ୍ରାଏଲ୍ ଉପରେ କରିଛି। ଜଳ, ସ୍ଥଳ ଓ ଆକାଶ ତିନି ପଟୁ ଏହି ରକେଟ୍ ମାଡ଼ ହୋଇଛି। ହଠାତ୍ ଏଭଳି ଆକ୍ରମଣରେ ଇସ୍ରାଏଲ୍ରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ହଜାରରୁ ଅଧିକ ଆହତ ହୋଇଛନ୍ତି। ସେହିପରି ଗାଜା ଷ୍ଟ୍ରିପ୍ରେ ୨୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭୦୦ ଆହତ ହୋଇଛନ୍ତି।
ଅନ୍ୟପକ୍ଷେ, ଇସ୍ରାଏଲ ଉପରେ ହମାସର ଆତଙ୍କୀ ହମଲାକୁ ଭାରତ ସମେତ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରମାନେ ଦୃଢ଼ ନିନ୍ଦା କରିଛନ୍ତି। ଇସ୍ରାଏଲର ଦୃଢ଼ ସମର୍ଥନରେ ଭାରତ ସହ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଓ କାନାଡ଼ା ଭଳି ପ୍ରମୁଖ ରାଷ୍ଟ୍ରମାନେ ବି ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି- "ଇସ୍ରାଏଲ ଉପରେ ଆତଙ୍କୀ ଆକ୍ରମଣ କଥା ଶୁଣି ମୁଁ ସ୍ତବ୍ଧ। ପୀଡ଼ିତଙ୍କ ପରିବାର ପ୍ରତି ସମ୍ବେଦନା ଜଣାଇବା ସହ ଇସ୍ରାଏଲର ଏଭଳି କଠୋର ସମୟରେ ଭାରତ ଛିଡ଼ା ହୋଇଛି"। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଲେଖିଛନ୍ତି- "ଏଭଳି ଆତଙ୍କୀ ଆକ୍ରମଣ ନିନ୍ଦନୀୟ ଅଟେ। ଇସ୍ରାଏଲ ଏହାକୁ ପ୍ରତିହତ କରିବାର ପୂର୍ଣ୍ଣ ଅଧିକାର ରହିଛି"। ସେପଟେ ଇସ୍ରାଏଲ୍ର ଏଭଳି ଦୁର୍ଦ୍ଦିନରେ ସାମରିକ ସହାୟତା ଯୋଗାଇ ଦେବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି। ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି-ଇସ୍ରାଏଲର ସୁରକ୍ଷା ଅଧିକାର ପ୍ରତି ଆମର ପ୍ରତିବଦ୍ଧତା ଜାରି ରହିବ। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ମଧ୍ୟ ସାଂପ୍ରତିକ ସ୍ଥିତି ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନଜାମିନ୍ ନେତାନହ୍ୟୁଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଭାରତ, ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ମୁସଲିମ ରାଷ୍ଟ୍ର ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି ।
ଅଧିକ ପଢ଼ନ୍ତୁ : ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ