ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପ୍ରଥମ ଥର ସାର୍ବଜନୀନ ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ସରକାର ବହୁ ଭାବିଚିନ୍ତି ଭାରତ ବିପକ୍ଷ ଫେବୃଆରୀ ୧୫ ତାରିଖ ମ୍ୟାଚକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । ଆମେ ଯେଉଁ ନିଷ୍ପତ୍ତି ନେଇଛୁ ତାହା ଠିକ୍ ।
ପାକିସ୍ତାନ ସରକାର ନିଜ ଦଳକୁ ଭାରତ ବିପକ୍ଷରେ ଫେବୃଆରୀ ୧୫ରେ ମ୍ୟାଚ୍ ନ ଖେଳିବାକୁ କହିଛି । ପାକିସ୍ତାନ ସରକାରଙ୍କ ଏମିତି ନିଷ୍ପତ୍ତି କ୍ରିକେଟ୍ ଜଗତକୁ ବହୁ ଅକଳରେ ପକାଇଛି । ଏହା ପୂର୍ବରୁ ସୁରକ୍ଷା କାରଣରୁ ଭାରତରେ ଖେଳିବାକୁ ମନା କରିବା ପରେ ବାଂଲାଦେଶକୁ ବିଶ୍ୱକପରୁ ହଟାଯାଇ ସ୍କଟଲାଣ୍ଡକୁ ସାମିଲ୍ କରାଯାଇଛି ।
ଶରିଫ କରାଚିରେ ସରକାରଙ୍କ ବୈଠକ ପରେ କହିଛନ୍ତି, ଆମେ ଟି-୨୦ ବିଶ୍ୱକପକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ଆପଣେଇଛୁ । ଆମେ ବିପକ୍ଷ ମ୍ୟାଚ୍ ଖେଳିବୁ ନାହିଁ କାରଣ କ୍ରୀଡା ମଇଦାନରେ ରାଜନୀତି ହେବା ଉଚିତ୍ ନୁହେଁ । ଆମେ ବହୁତ ଭାବିଚିନ୍ତି ଏହି ପଦକ୍ଷେପ ନେଇଛୁ । ଆମେ ସଂପୂର୍ଣ୍ଣ ଭାବେ ବାଂଲାଦେଶ ସହ ଅଛୁ ।
ଆଇସିସି ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଚେତାଇ ଦେଇଛି ଯେ, ଯଦି ଭାରତ ବିପକ୍ଷ ହାଇ ପ୍ରୋଫାଇଲ ମ୍ୟାଚ୍ ନ ଖେଳ ତେବେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ଏହି ମ୍ୟାଚ୍ ପ୍ରାୟୋଜକ ଓ ବ୍ରଡକାଷ୍ଟର୍ସଙ୍କ ପାଇଁ ଆୟର ସବୁଠୁ ବଡ ଉତ୍ସ । ଆଇସିସି ଅପିଲ୍ କରିଛି ଯେ, ପିସିବିକୁ ମ୍ୟାଚ୍ ବରିଷ୍କାରର ଦୂରଗାମୀ ପରିଣାମ ବିଷୟରେ ଭାବିବା ଉଚିତ୍ । କାରଣ ଏଥିରେ ପାକିସ୍ତାନ କ୍ରିକେଟ୍ ଓ ଦୁନିଆର କ୍ରିକେଟ୍ ଢାଞ୍ଚା ଉପରେ ନକରାତ୍ମକ ପ୍ରଭାବ ପଡିବ ।
ପାକିସ୍ତାନ ଟିମ୍ ବାକି ମ୍ୟାଚ୍ ଖେଳିବା ପାଇଁ କଲୋମ୍ବୋ ପହଞ୍ଚି ସାରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ କହି ସାରିଛି ଯେ, ଯଦି ନକଆଉଟ୍ ପର୍ଯ୍ୟାୟରେ ଭାରତ ସହ ମ୍ୟାଚ୍ ପଡେ ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବୁ । ଏବେ ଦେଖିବାକୁ ବାକି ରହିଲା ଆଇସିସି ପାକିସ୍ତାନ ବିରୋଧରେ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
Also read: ଭାରତକୁ ଆଗୁଆ ବିଜୟୀ କରିଥିବା ପାକିସ୍ତାନର ଆଉ ଗୋଟିଏ ମ୍ୟାଚ୍ ହୋଇପାରେ ରଦ୍ଦ, ଜାଣନ୍ତୁ କାରଣ