ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ସଂପର୍କରେ ସୁଧାର ଆସିଛି। ଦୁଇ ଦେଶ ମଧ୍ୟରେ ଆଜି ଏକ ଚୁକ୍ତି ହୋଇଛି, ଯାହା ଆଧାରେ ଆମେରିକା ଚୀନ ଠାରୁ ଚୁମ୍ବକ ଏବଂ ବିରଳ ଖଣିଜ ପଦାର୍ଥ ପାଇବ ଏବଂ ଚୀନ ସାମଗ୍ରୀ ଉପରେ ଶୁଳ୍କ ୫୫ ପ୍ରତିଶତ ବୃଦ୍ଧି କରାଯିବ। ପ୍ରତିବଦଳରେ, ଚୀନ ନାଗରିକମାନେ ଆମେରିକୀୟ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିପାରିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଏହି ସୂଚନା ଦେଇଛନ୍ତି।
ଆମେରିକା ଏବଂ ଚୀନ ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ଧରି ଚାଲିଥିବା ଟ୍ରେଡ ଓ୍ଵାର ପରେ, ଟ୍ରମ୍ପ୍ ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରି ଦିଗରେ ଗୁରୁତ୍ଵ ଦେଇଛନ୍ତି। ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, ଆମେ ମୋଟ ୫୫% ଶୁଳ୍କ ପାଉଛୁ, ଚୀନ୍ ୧୦%। ତଥାପି, ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଏହି ଚୁକ୍ତି ତାଙ୍କ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚୂଡ଼ାନ୍ତ ଅନୁମୋଦନ ଉପରେ ନିର୍ଭର କରେ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଚୁକ୍ତିନାମା ପରେ, ଆମେରିକା ଆମଦାନୀ ହେଉଥିବା ଚୀନ୍ ସାମଗ୍ରୀ ଉପରେ ୫୫ ପ୍ରତିଶତ ଶୁଳ୍କ ଲଗାଇବ। ଏଥିରେ ୧୦ ପ୍ରତିଶତ ମୂଳ ରେସିପୋରାକୋଲ ଶୁଳ୍କ, ଫେଣ୍ଟାନିଲ୍ ଚୋରାଚାଲାଣ ପାଇଁ ୨୦ ପ୍ରତିଶତ ଶୁଳ୍କ ଏବଂ ପୂର୍ବରୁ ଥିବା ୨୫ ପ୍ରତିଶତ ଶୁଳ୍କ ଅନ୍ତର୍ଭୁକ୍ତ। ସେହିପରି ଚୀନ ଆମେରିକୀୟ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବ।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, "ଚୀନଠୁ ଆବଶ୍ୟକ ସମସ୍ତ ଚୁମ୍ବକ ଏବଂ ବିରଳ ଖଣିଜ ପଦାର୍ଥ ଆମଦାନୀ କରାଯିବ। ସେହିପରି, ଆମେ ଚୀନକୁ ସମସ୍ତ ସହମତ ଜିନିଷ ଯୋଗାଇବୁ। ଏହି ଆଧାରରେ ଆମର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଚୀନ ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା ଦେବୁ। ଚୀନର ଛାତ୍ର-ଛାତ୍ରୀଙ୍କୁ ଆମେରିକାର କଲେଜ୍ ଓ ବିଶ୍ଵ ବିଦ୍ୟାଳୟରେ ପାଢ ପଢିବାକୁ ଅନୁମତି ଦିଆଯିବ।
ମଙ୍ଗଳବାର ଦୁଇ ଦେଶର ଅଧିକାରୀ କହିଛନ୍ତି , ଦୁଇ ଦେଶ ପରସ୍ପର ମଧ୍ୟରେ ଅଟକି ରହିଥିବା ବାଣିଜ୍ୟ ଚୁକ୍ତିକୁ ପୁନର୍ଜୀବିତ କରିବା ପାଇଁ ଏକ ଢାଞ୍ଚା ଉପରେ ସହମତ ହୋଇଛନ୍ତି। ଏହା ପୂର୍ବରୁ ବିଗତ ଦିନରେ ଆମେରିକା ଓ ଚୀନ ମଧ୍ୟରେ ଭୀଷଣ ଟ୍ରେଡ ଓ୍ଵାର ଦେଖିବାକୁ ମିଳିଥିଲା। ଆମେରିକା ଚୀନର ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଟାରିଫ ଲଗାଇଥିଲା। ଚୀନ ମଧ୍ୟ ଟାରିଫକୁ ୧୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।