ନୂଆଦିଲ୍ଲୀ: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସରକାର ଏକ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ବିରୋଧୀ ବୁଧବାର ଇସ୍ରାଏଲ ସଂସଦ ଭଙ୍ଗ କରିବାକୁ ବିଧେୟକ ଉପସ୍ଥାପନ କରିଛନ୍ତି। ଏହା ନେତନ୍ୟାହୁଙ୍କ ପାଇଁ ବଡ଼ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। କାରଣ ତାଙ୍କ ମେଣ୍ଟ ସରକାରରେ ସାମିଲ ଅତି ରୁଢିବାଦୀ ଦଳଗୁଡ଼ିକ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ସେମାନେ ବିରୋଧୀଙ୍କ ପ୍ରସ୍ତାବକୁ ସମର୍ଥନ କରି ପାରନ୍ତି। ଯଦି ଏମିତି ହୁଏ ତେବେ ଦେଶରେ ଶୀଘ୍ର ନିର୍ବାଚନ କରାଯିବାର ସ୍ଥିତି ଉପୁଜିପାରେ।
କଣ ଏହି ବିବାଦ ?
ବିବାଦର ମୂଳ କାରଣ ଅଲଟ୍ରା-ଅର୍ଥୋଡକ୍ସ ଯୁବ ବର୍ଗଙ୍କୁ ଇସ୍ରାଏଲର ସୈନ୍ୟ ସେବାରେ କୋହଳ ଦେବା ପାଇଁ ଏକ ଆଇନ ପ୍ରସ୍ତୁତ ହୋଇଥିଲା। କିନ୍ତୁ ନେତନ୍ୟାହୁଙ୍କ ସରକାର ଏ ପର୍ୟ୍ୟନ୍ତ ଏହାକୁ ପାରିତ କରି ପାରି ନାହାନ୍ତି। ଦୀର୍ଘ ସମୟରୁ ଏହି ପ୍ରସଙ୍ଗ ଇସ୍ରାଏଲ ସମାଜକୁ ବିଭାଜିତ କରି ଆସିଛି। ମାତ୍ର ଗାଜା ଯୁଦ୍ଧ କାରଣରୁ ଏହା ଆହୁରି ସମ୍ବେଦନଶୀଳ ହୋଇ ପଡ଼ିଛି। ସମାଲୋଚକ ଅଭିଯୋଗ କରିଛନ୍ତି ଯେ, ଯେବେ ଦେଶର ଅଧିକାଂଶ ଯୁବକ ସୈନ୍ୟ ସେବା କରୁଛନ୍ତି ତେବେ ଗୋଟିଏ ସମୁଦାୟକୁ ନିୟମରେ କୋହଳ କରାଯିବା ଭୁଲ ।
ବିରୋଧୀଙ୍କ ଦ୍ୱାରା ସଂସଦ ଭଙ୍ଗ କରାଯିବାର ପ୍ରସ୍ତାବ ଉପସ୍ଥାପନ ହେବା ପରେ ନେତନ୍ୟାହୁ ସରକାର ଏହାର ଜବାବରରେ ରଣନୀତି ଆପଣେଇଛନ୍ତି । ବୁଧବାର ସଂସଦର କାର୍ଯ୍ୟସୂଚୀରେ ଅନେକ ବିଧେୟକ ସାମିଲ କରି ଦେଇଛନ୍ତି, ଯଦ୍ୱାରା ସେ ଏହି ସ୍ଥିତି ମୁକାବିଲା ପାଇଁ ସମୟ ମିଳି ପାରିବ ଏବଂ କୌଣସି ବୁଝାମଣା କରାଯାଇ ପାରିବ । ଯଦି ଏହି ପ୍ରସ୍ତାବ ଖାରଜ ନ ହୁଏ ତେବେ ବୁଧବାର ବିଳମ୍ବିତ ରାତିରେ ଭୋଟିଂ ହୋଇପାରେ । ସଂସଦ ଭଙ୍ଗ କରାଯିବା ଏହି ପ୍ରସ୍ତାବକୁ ତିନି ଚତୁର୍ଥାଂଶ ମତର ଆବଶ୍ୟକତା ରହିଛି, ଯେଉଁଥିପାଇଁ କିଛି ଦିନ କିମ୍ବା ସପ୍ତାହେ ସମୟ ଲାଗିପାରେ ।