ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ(ଆଇଏସଏସ)ରେ ନଅ ମାସ ଧରି ଫସି ରହିଥିବା ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପଥ ପରିଷ୍କାର ହୋଇଛି । ଏହି ଦୁଇ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସର ସ୍ପେସ କ୍ରାଫ୍ଟ କ୍ରୁ-୧୦ ନୂଆ ଯାତ୍ରୀଙ୍କୁ ନେଇ ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନ ପହଞ୍ଚି ଯାଇଛି । ସେଠାରେ ସୁନିତା ଓ ତାଙ୍କ ସହ ଯାତ୍ରୀଙ୍କୁ ଦେଖି ସବୁ ଲୋକଙ୍କ ଚେହେରାରେ ଖୁସିର ଲହରି ଖେଳି ଯାଇଛି ।
ଶୁକ୍ରବାର ଅନ୍ତରୀକ୍ଷ ଷ୍ଟେସନ ପାଇଁ ଫାଲକନ ରକେଟ୍ ଜରିଆରେ ଉଡାଣ ଭରିଥିବା ସ୍ପେସକ୍ରାଫ୍ଟ କ୍ରୁ-୧୦ରେ ଆମେରିକା, ଜାପାନ ଓ ରୁଷର ଚାରି ନୂଆ ଯାତ୍ରୀ ସେଠାରେ ପହଞ୍ଚିଛନ୍ତି । ସେଠାରେ ଆଗାମୀ କିଛି ଦିନ ବୁଚ ୱିଲମୋର ଓ ସୁନିତା ୱିଲିୟମ୍ସଙ୍କଠୁ ସ୍ପେସ ଷ୍ଟେସନ ବିଷୟରେ ସୂଚନା ସଂଗ୍ରହ କରିବେ । ଏହା ପରେ ଚଳିତ ସପ୍ତାହ ଶେଷ ସୁଦ୍ଧା ସୁନିତା ଓ ବୁଚ ୯ ମାସର ଅଭିଯାନକୁ ସମାପ୍ତ କରି ପୃଥିବୀ ଅଭିମୁଖେ ଉଡାଣ ଭରିବେ । ତାଙ୍କ ସହିତ ଯାଇଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ପୃଥିବୀକୁ ଫେରିବେ ।
ସୂଚନାଯୋଗ୍ୟ, ବୁଚ୍ ୱିଲମୋର ଓ ସୁନିତା ୱିଲୟମ୍ସଙ୍କୁ ବୋଇଙ୍ଗର ଷ୍ଟାରଲାଇନ ସ୍ପେସକ୍ରାଫ୍ଟ ଜରିଆରେ ଗୋଟିଏ ସପ୍ତାହ ପାଇଁ ଅନ୍ତରୀକ୍ଷକୁ ପଠାଯାଇଥିଲା । ମାତ୍ର ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ଏତେ ସମସ୍ୟା ଉପୁଜିଥିଲା ଯେ, ନାସା ଉକ୍ତ ବିମାନକୁ ଖାଲିରେ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା । ଏହି କାରଣରୁ ସୁନିତା ଓ ବୁଚଙ୍କୁ ସ୍ପେସ ଷ୍ଟେସନରେ ରହିବାକୁ ପଡିଥିଲା । ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କ ଯାନ ଧରିତ୍ରୀକୁ ଫେରିଥିଲେ ମଧ୍ୟ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମୟ ଗଡି ଚାଲିଲା ।
ତେବେ ନାସାର ସହଯୋଗ ପରେ ସ୍ପେସଏକ୍ସ ଏହି ଦୁଇ ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ମିଶନ ଲଞ୍ଚ କରିଥିଲା । ମାତ୍ର ବୈଷେୟିକ ତ୍ରୁଟି ଯୋଗୁଁ ମିଶନରେ ବିଳମ୍ବ ହୋଇଥିଲା । ବହୁ କସରତ ପରେ ଶେଷରେ ଏହି ଦୁଇ ମହାକାଶଚାରୀଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପଥ ପରିଷ୍କାର ହୋଇଛି ।
ସୂଚନା ଅନୁଯାୟୀ, ସ୍ପେସ ଷ୍ଟେସନରୁ ସୁନିତା ଓ ତାଙ୍କ ସାଥୀମାନଙ୍କୁ ଫେରାଇ ଆଣିବା ପୂର୍ବରୁ ପାଣିପାଗର ସମୀକ୍ଷା କରାଯିବ । ଏହା ପରେ ସମ୍ଭାବିତ ଭାବେ ବୁଧବାର ସେମାନଙ୍କର କ୍ୟାପସୁଲ ଅନ୍ତରୀକ୍ଷ ଷ୍ଟେସନରୁ ଅଲଗା ହୋଇଯିବ ଏବଂ ଫ୍ଲୋରିଡା ସମୁତ୍ର କୂଳରେ ଅବତରଣ କରିବ ।