ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇ ବୁଧବାର ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ବିମାନରୁ ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଛି। ସେନାର ‘ଅପରେଶନ ସିନ୍ଦୂର’ ନେଇ ବିଦେଶ ସଚିବ ବିକ୍ରମ ମିସ୍ରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ବିଦେଶ ସଚିବ ଶ୍ରୀ ମିସ୍ରି କହିଛନ୍ତି, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ଟିଆରଏଫ୍ ନେଇଥିଲା। ଟିଆରଏଫ୍ ହେଉଛି ଲସ୍କର ସହିତ ଜଡିତ ଏକ ସଂଗଠନ। ଆକ୍ରମଣକାରୀମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଆମର ଗୁଇନ୍ଦା ସଂସ୍ଥା ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରିଛି। ଏହି ଆକ୍ରମଣର ପାକିସ୍ତାନ ସହ ସମ୍ପର୍କ ଅଛି। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ଭାବରେ ସାରା ବିଶ୍ୱରେ ପରିଚିତି ପାଇଛି।
ବିଦେଶ ସଚିବ କହିଛନ୍ତି, ଆକ୍ରମଣର ପନ୍ଦର ଦିନ ପରେ ମଧ୍ୟ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ସେ ପାଲଟା ଅଭିଯୋଗ ଆଣିଛି। ଭାରତ ବିରୁଦ୍ଧରେ ଆହୁରି ଆକ୍ରମଣ ହୋଇପାରେ। ତେଣୁ ଏହାକୁ ମୁକାବିଲା କରିବା ଗୁରୁତ୍ୱପୂର୍ଣ୍ଣ।
ଭାରତ ଆତଙ୍କବାଦର ଅନ୍ତ ପାଇଁ ଜବାବ ଦେଇଛି। ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ବିକାଶକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଭାରତ ଆତଙ୍କବାଦ ବିରୁଦ୍ଧରେ ନିଜର ଅଧିକାର ବ୍ୟବହାର କରିଛି। ପହଲଗାମ ଆକ୍ରମଣର ଲକ୍ଷ୍ୟ ହେଉଛି ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା।
ପୂର୍ବରୁ ଭାରତୀୟ ସେନା କହିଛି ଯେ ବାୟୁସେନା ଆକ୍ରମଣରେ କୌଣସି ପାକିସ୍ତାନୀ ସାମରିକ ଘାଟିକୁ ଟାର୍ଗେଟ କରାଯାଇ ନାହିଁ। ଲକ୍ଷ୍ୟ ଚୟନ ଏବଂ ସେଗୁଡ଼ିକର କାର୍ଯ୍ୟାନ୍ୱୟନ ପଦ୍ଧତିରେ ଭାରତ ଯଥେଷ୍ଟ ସଂଯମତା ଦେଖାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହେବା ପରେ ଭାରତୀୟ ସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଅଧିକ ପଢ଼ନ୍ତୁ: ସୀମାରେ ପାକିସ୍ତାନର କାପୁରୁଷତାପୂର୍ଣ୍ଣ କାର୍ଯ୍ୟ