ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବୁଧବାର ରାତିରେ ଆୱାମୀ ଲିଗ୍ ଦଳର ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି। ତେବେ ଏହି ଅଭିଭାଷଣ ପରେ ତୁରନ୍ତ ସୂଚନା ମିଳିଥିଲା ଯେ ବିକ୍ଷୋଭକାରୀମାନେ ଢାକାରେ ଥିବା ଶେଖ୍ ମୁଜିବୁର୍ ରେହମାନଙ୍କ ଐତିହାସିକ ବାସଭବନ ଉପରେ ଆକ୍ରମଣ କରିଛନ୍ତି। ବିକ୍ଷୋଭକାରୀମାନେ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଫେସ୍ ବୁକ୍ ଲାଇଭ୍ ଜରିଆରେ ଶେଖ ହସିନା ଲୋକଙ୍କୁ ସମ୍ବୋଧିତ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ବାଂଲାଦେଶରେ ଆନ୍ଦୋଳନ ଆରମ୍ଭ ହୋଇଛି। ମହମ୍ମଦ ୟୁନୁସ୍ ମୋତେ ଓ ମୋ ଭଉଣୀକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଶେଖ୍ ହସିନା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆଲ୍ଲା ଏହି ଆକ୍ରମଣ ସତ୍ତ୍ୱେ ମୋତେ ବଞ୍ଚାଇ ରଖିଛନ୍ତି, ତେବେ ମୋତେ କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାକୁ ପଡ଼ିବ। ଯଦି ତାହା ନହୁଏ, ତେବେ ମୁଁ ଏତେ ଥର ମୃତ୍ୟୁରୁ ବର୍ତ୍ତି ପାରିନଥାନ୍ତା।
ନିଜ ଅଭିଭାଷଣରେ ଲୋକେ କାହିଁକି ତାଙ୍କ ଘରେ ନିଆଁ ଲଗାଇଦେଲେ ବୋଲି ସେ ପ୍ରଶ୍ନ ଉଠାଇଥିଲେ। ମୁଁ ବାଂଲାଦେଶବାସୀଙ୍କ ଠାରୁ ନ୍ୟାୟ ଦାବି କରୁଛି। ମୁଁ ମୋ ଦେଶ ପାଇଁ କିଛି କରିନାହିଁ କି? କାହିଁକି ଆମକୁ ଏତେ ଅପମାନିତ କରାଗଲା? ସୂଚନାଯୋଗ୍ୟ, ବାଂଲାଦେଶରେ ବିଦ୍ରୋହ ପରେ ବିକ୍ଷୋଭକାରୀମାନେ ଶେଖ୍ ହସିନାଙ୍କ ବାସଭବନ ଭଙ୍ଗାରୁଜା କରିଥିଲେ। ତାଙ୍କ ଘରେ ଥିବା ଜିନିଷପତ୍ର ଲୁଟ୍ ହୋଇଥିଲା। ଏକ ବୁଲଡୋଜର ତାଙ୍କ ଘର ଭାଙ୍ଗି ଦେଇଥିଲା।
ଶେଖ୍ ହସିନା ଆହୁରି କହିଛନ୍ତି ଯେ ପ୍ରଦର୍ଶନକାରୀଙ୍କ ଦ୍ୱାରା ଭଙ୍ଗାଯାଇଥିବା ଘର ସହିତ ମୋର ଅନେକ ସ୍ମୃତି ଜଡିତ ଥିଲା। ଘର ପୋଡ଼ି ଦିଆଯାଇପାରିବ, କିନ୍ତୁ ଇତିହାସକୁ ଲିଭାଇ ଦିଆଯାଇପାରିବ ନାହିଁ। ସେ ମହମ୍ମଦ ୟୁନୁସ ଏବଂ ତାଙ୍କ ସମର୍ଥକମାନଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ସେମାନେ ଜାତୀୟ ପତାକା ଏବଂ ସମ୍ବିଧାନକୁ ବୁଲଡୋଜର ସାହାଯ୍ୟରେ ଧ୍ୱଂସ କରିପାରିବେ, ଯାହାକୁ ଆମେ ଲକ୍ଷ ଲକ୍ଷ ସହିଦଙ୍କ ଜୀବନ ଦେଇ ହାସଲ କରିଛୁ। ଇତିହାସକୁ ବୁଲଡୋଜର ଦ୍ୱାରା ଲିଭାଇ ଦିଆଯାଇପାରିବ ନାହିଁ।
ତାଙ୍କ ଭାଷଣ ପରେ, ଧାନମୋଣ୍ଡି ଅଞ୍ଚଳରେ ଥିବା ଘର ସମ୍ମୁଖରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଏହି ଘରଟି ବର୍ତ୍ତମାନ ଏକ ସ୍ମାରକୀ ସଂଗ୍ରହାଳୟରେ ପରିଣତ ହୋଇଛି ଏବଂ ଏହାକୁ ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରତୀକାତ୍ମକ ସ୍ଥାନ ଭାବରେ ବିବେଚନା କରାଯାଏ। ଇଣ୍ଟରନେଟ୍ ମିଡିଆରେ ପ୍ରଦର୍ଶନକାରୀମାନେ "ବୁଲଡୋଜର ରାଲି" ପାଇଁ ଡାକରା ଦେବା ପରେ ଏହି ଘଟଣା ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେନା କର୍ମଚାରୀଙ୍କ ଏକ ଗୋଷ୍ଠୀ ପ୍ରଦର୍ଶନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ହୋହାଲ୍ଲା କରାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଥମେ କୋଠାର କାନ୍ଥରେ ସହିଦ ନେତାଙ୍କ ଏକ ଗ୍ରାଫିଟି ନଷ୍ଟ କରିଥିଲେ ଏବଂ "ଏବେ ୩୨ ରହିବେ ନାହିଁ" ଲେଖିଥିଲେ। ଛାତ୍ରମାନଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ପରେ ଶେଖ୍ ହସିନା ଅଗଷ୍ଟ ୫ ତାରିଖରୁ ବାଂଲାଦେଶ ଛାଡି ପଳାଇବା ପରେ ସେ ଭାରତରେ ରହୁଛନ୍ତି।
ଅଧିକ ପଢ଼ନ୍ତୁ: ଶେଖ୍ ମୁଜିବୁର ରେହମାନଙ୍କ ବାସଭବନରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ