ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୟୁକ୍ରେନ ସାମ୍ନାରେ ବଡ ସର୍ତ୍ତ ରଖିଛନ୍ତି । ଟ୍ରମ୍ପ କହିଛନ୍ତି ଯଦି ୟୁକ୍ରେନ ନିଜ ଦେଶରେ ମିଳୁଥିବା ଦୁଲର୍ଭ ଖଣିଜ ପଦାର୍ଥ ଆମେରିକାକୁ ଦେବାକୁ ରାଜି ତେବେ ଆମେରିକା ସବୁ ପ୍ରକାରର ସାମରିକ ସହାୟତା ଦେବାକୁ ପ୍ରସ୍ତୁତ । ଟ୍ରମ୍ପ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆମେରିକା ୟୁକ୍ରେନକୁ ୟୁରୋପର ଅନ୍ୟ ସହଯୋଗୀଙ୍କ ତୁଳନାରେ ଅଧିକ ସୈନ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛି । ଆମେ ୟୁକ୍ରେନ ସହିତ ଏକ ରାଜିନାମା କରିବାକୁ ଚାହୁଁଛୁ ଯାହାରି ଆଧାରରେ ଆମେ ଯାହା ବି କିଛି ଦେବୁ, ଏହାରି ବଦଳରେ ୟୁକ୍ରେନ ଆମକୁ ନିଜର ଦୁଲର୍ଭ ଖଣିଜ ପଦାର୍ଥ ଦେବ ।
ଟ୍ରମ୍ପ କହିଛନ୍ତି, ମୁଁ ୟୁକ୍ରେନ ମାଟିରେ ମିଳୁଥିବା ଏହି ଦୁଲର୍ଭ ଖଣିଜ ପଦାର୍ଥର ସଂରକ୍ଷଣ ଚାହୁଁଛି । ଆମେ ଶହ ଶହ ବିଲିୟନ ଡଲାର ଖର୍ଚ୍ଚ କରୁଛୁ । ୟୁକ୍ରେନ ପାଖରେ ବହୁତ ଉଚ୍ଚମାନର ଦୁଲର୍ଭ ଖଣିଜ ପଦାର୍ଥ ରହିଛି ଏବଂ ମୁଁ ଏହାର ସଂରକ୍ଷଣ ଚାହୁଁଛି । ତେଣୁ ୟୁକ୍ରେନ ସହ ଆମେ ଏହି ସଂଦର୍ଭରେ ରାଜିନାମା ଚାହୁଁଛୁ ।
ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଯୁଦ୍ଧ କେମିତି ଶୀଘ୍ର ସମାପ୍ତ ହେବ ସେ ଦିଗରେ ଆଲୋଚନା ଜାରି ରହିଛି । ଆମେ ରୁଷ ଓ ୟୁକ୍ରେନ ମାମଲାରେ ବହୁତ ପ୍ରଗତି କରିଛୁ । ଦେଖିବା ଆଗକୁ କଣ ହେଉଛି । ଆମେ ଏହି ଅଯଥା ଯୁଦ୍ଧକୁ ବନ୍ଦ କରିବାକୁ ଯାଉଛୁ । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର କହିଥିଲ ଯେ, ତାଙ୍କ ଦେଶ ଉପସ୍ଥିତି ବିନା ଆମେରିକା ଓ ରୁଷ ମଧ୍ୟରେ କୌଣସି ଆଲୋଚନାକୁ ସ୍ୱୀକାର କରାଯାଇ ପାରିବ ନାହିଁ ।