ଯେରୁସେଲ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର ରାତିରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଜୋଆବ ଗାଲାଣ୍ଟଙ୍କୁ ବହିଷ୍କାର କରିଛନ୍ତି। ଏହା ପଛରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯୁକ୍ତି ବାଢ଼ିଛି ଯେ ଯୁଦ୍ଧ ପରିଚାଳନାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି। ବୈଦେଶିକ ମନ୍ତ୍ରୀ କାଟ୍ଜଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିବା ବେଳେ ଗିଡିଓନ ସାରଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।
ଗାଜାରେ ଯୁଦ୍ଧ ସମୟରେ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ମଧ୍ୟରେ ମତଭେଦ ଉପୁଜିଥିଲା, କିନ୍ତୁ ନେତାନ୍ୟାହୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବାରୁ ଦୂରେଇ ରହିଥିଲେ। ପୂର୍ବରୁ ମାର୍ଚ୍ଚ ୨୦୨୩ରେ ଗାଲାଣ୍ଟଙ୍କୁ ବହିଷ୍କାର କରିବାକୁ ଉଦ୍ୟମ ହେବା ପରେ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାରେ ବ୍ୟାପକ ବିକ୍ଷୋଭ ହୋଇଥିଲା। ନେତାନ୍ୟାହୁଙ୍କ ଘୋଷଣା ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ଗାଲାଣ୍ଟ ମଧ୍ୟ ଇଣ୍ଟରନେଟ୍ ମିଡିଆରେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ଇସ୍ରାଏଲର ସୁରକ୍ଷା ମୋ ଜୀବନର ମିଶନ ଏବଂ ସର୍ବଦା ରହିବ।
ସେହିପରି ଗାଜାରେ ଇସ୍ରାଏଲ ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ମଙ୍ଗଳବାର ଗାଜା ଉପତ୍ୟକାର ଉତ୍ତରରେ ରହୁଥିବା ଲୋକଙ୍କ ପାଇଁ ଏକ ନୂତନ ସ୍ଥାନାନ୍ତର ଆଦେଶ ଜାରି କରିଛି। ସୋମବାର ବିଳମ୍ବିତ ରାତିରେ ହୋଇଥିବା ବିମାନ ଆକ୍ରମଣରେ ବେଇତ ଲହିଆରେ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟରାତ୍ରିରେ ଗାଜା ଏବଂ ଦୈର ଅଲ-ବାଲାହ ଉପରେ ହୋଇଥିବା ବିମାନ ଆକ୍ରମଣରେ ୬ ଜଣ ଏବଂ ଅଲ-ଜୱେଦାରେ ୪ ଜଣ ପ୍ରାଣ ହରାଇଥିଲେ।
ଗାଜାର ଉତ୍ତରରେ ଥିବା ଜାବାଲିଆରେ ଏକ ଘର ଉପରେ ହୋଇଥିବା ଆକ୍ରମଣରେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା କହିଛି ଯେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍ ଏବଂ ଜାବାଲିଆରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ପୂର୍ବରୁ ଦକ୍ଷିଣ ରଫା ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ ହୋଇଥିବା ବେଳେ ସେଠାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ସେନା ଜବତ କରିଛି।
ଇସ୍ରାଏଲର ବିମାନଗୁଡ଼ିକ ମଙ୍ଗଳବାର ବେଇତ ଲହିଆ ଅଞ୍ଚଳରେ ଲିଫ୍ଲେଟ୍ ପକାଇ ସହରକୁ ଖାଲି କରିବାକୁ କହିଥିଲେ। ଆରବୀ ଭାଷାରେ ଲେଖାଯାଇଥିବା ଏହି ପମ୍ଫଲେଟ୍ରେ କୁହାଯାଇଛି ଯେ ଘର ଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ନିରାପତ୍ତା ପାଇଁ ଆପଣଙ୍କୁ ଦକ୍ଷିଣ କୁ ଯିବାକୁ ପଡିବ। ଇସ୍ରାଏଲ କହିଛି ଯେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ନେତନ୍ୟାହୁଙ୍କ ବିରୋଧରେ ଆକ୍ସନର ଇରାନ