ନୂଆଦିଲ୍ଲୀ: କୁଏତ୍ର ଅମୀର ଶେଖ୍ ମେଶାଲ ଅଲ୍-ଅହମଦ୍ ଅଲ୍-ଜବର ଅଲ୍ ସବାହ ବୁଧବାର ବିଦେଶୀ ଶ୍ରମିକ ରହୁଥିବା ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ସେ ଏହି ବିପର୍ଯ୍ୟୟ ପାଇଁ ଦାୟୀ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂକଳ୍ପ ନେଇଛନ୍ତି। ଏହି ମାମଲାରେ କଂପାନି ଓ କୋଠାର ମାଲିକଙ୍କ ଭୂମିକା ଉପରେ ପ୍ରଶ୍ନ ଛିଡ଼ା ହୋଇଛି।
କୁଏତ ଟାଇମ୍ସ ଗୃହମନ୍ତ୍ରୀ ଶେଖ ଫହଦ ଅଲ-ୟୁସୁଫ ଅଲ ସବାହଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ କହିଛି, ଯାହା
ହୋଇଛି, କଂପାନି ଓ କୋଠାର ମାଲିକଙ୍କ ଅବହେଳାର କାରଣ। ଗୃହମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। କୋଠାର ମାଲିକ ଓ ପିଅନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି, କୋଠାରେ ଯେତେବେଳେ ଅଗ୍ନିକାଣ୍ଡ ହୋଇଥିଲା, ଜଣେ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ୫ ମହଲା ଉପରୁ ତଳକୁ ଡେଇଁଥିଲେ। ସେ ବାଲକୋନିରେ ଧକ୍କା ହୋଇ ଜୀବନ ହାରିଥିଲେ।
ସୂଚନାଯୋଗ୍ୟ, କୁଏତ୍ରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହି ନିଆଁରେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ୪୦ ଜଣ ଭାରତୀୟ ଅଛନ୍ତି। ଏପର୍ଯ୍ୟନ୍ତ ୫ ଜଣ ଭାରତୀୟ ନାଗରିକଙ୍କ ମୃତଦେହ ଚିହ୍ନଟ ହୋଇଛି। ଏମାନେ କେରଳର ନିବାସୀ ଥିଲେ। କିନ୍ତୁ ମୃତଦେହ ଚିହ୍ନଟ ହୋଇ ନଥିବା ଲୋକଙ୍କ ମଧ୍ୟରେ ତାମିଲନାଡୁର ମୂଳ ନିବାସୀ ମଧ୍ୟ ଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଅଗ୍ନିକାଣ୍ଡର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କେରଳ ଓ ତାମିଲନାଡୁର ନିବାସୀ ଥିଲେ। ଏହି ଖବର ମିଳିବା ପରେ ଉଭୟ ରାଜ୍ୟରେ ଦୁଃଖ ଓ ଶୋକର ବାତାବରଣ ଖେଳିଯାଇଛି।