ନୂଆଦିଲ୍ଲୀ: ଗୋଟିଏ ପଟେ ଭେନେଜୁଏଲା ଉପରେ ଆମେରିକାର ହମଲା ପରେ ବିଶ୍ୱରେ ଉତ୍ତେଜନାପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଦୁଇ ଦେଶ ପରସ୍ପରକୁ ହମଲାର ଧମକ ବି ଦେଉଛନ୍ତି । ଏହି କ୍ରମରେ ଇରାନର ଆର୍ମି ଚିଫ ମେଜର ଜେନେରାଲ ଅମୀର ହତାମୀ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, କୌଣସି ବି ବିଦେଶୀ ଶକ୍ତି ଇରାନକୁ ଧମକାଇ ପାରିବେ ନାହିଁ । ଯଦି କେହି ହମଲା କରେ ତେବେ ତାର ହାଟ କାଟି ଦେବୁ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବରେ ଇରାନ ଏହି ଜବାବ ଦେଇଛି । ଟ୍ରମ୍ପ କହିଥିଲେ, ଯଦି ଇରାନରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ ନ ହୁଏ ତେବେ ଆମେରିକା ଏଥିରେ ହସ୍ତକ୍ଷେପ କରିବ । ଶାନ୍ତପୂର୍ଣ୍ଣ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଗୁଳିମାଡ ହେଲେ ଆମେରିକା ସେମାନଙ୍କୁ ବଞ୍ଚାଇବାକୁ ଆସିବ । ଆମେ ପ୍ରସ୍ତୁତ ଏବଂ ଗୁଳି ଲୋଡ୍ ହୋଇ ରହିଛି ।
ଆମେରିକାର ସାଂସଦ ଲିଣ୍ଡସେ ଗ୍ରାହମ ଏକ ଟିଭି ଇଣ୍ଟରଭ୍ୟୁରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଖୋଲା ଧମକ ଦେଇଥିଲେ । ସେ ଇରାନର ପ୍ରଦର୍ଶନକାରୀଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବାକୁ କହିଥିଲେ । ଏହା ସହିତ କହିଥିଲେ, ଯଦି ଆପଣ ସେହି ଲୋକଙ୍କୁ ମାରିବେ ତେବେ ଡୋନାଲ୍ଡ ଟ୍ରମ୍ପ ଆପଣଙ୍କୁ ମାରି ଦେବେ । ତେଣୁ ତେହରାନର ନେତାମାନେ ଟ୍ରମ୍ପଙ୍କୁ ବହୁତ ଗମ୍ଭୀରତାର ସହ ନେବା ଉଚିତ୍ ।
ଇରାନରେ ଗତ ଅନେକ ଦିନରୁ ବ୍ୟାପକ ମାତ୍ରାରେ ବିରୋଦ ପ୍ରଦର୍ଶନ ହେଉଛି । ଏହି ବିରୋଧ ଦରବୃଦ୍ଧି, ଇରାନ ମୁଦ୍ରାର ମୂଲ୍ୟ ହ୍ରାସ ଓ ଆର୍ଥିକ ସଙ୍କଟ ବିରୋଧରେ ହେଉଛି । ପ୍ରଦର୍ଶନ ତେହରାନରୁ ଆରମ୍ଭ ହୋଇ ସମଗ୍ର ଦେଶରେ ବ୍ୟାପି ଯାଇଛି ।
ଫାସା ସହରରେ, ପ୍ରଦର୍ଶନକାରୀମାନେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ ଏବଂ ପଥର ଫିଙ୍ଗିଥିଲେ। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, କହିଥିଲେ ଯେ ଟିକସ ବୃଦ୍ଧି ଯୋଜନାର ପୁନର୍ବିଚାର କରାଯିବ।
Also read: ପାକିସ୍ତାନର ମାହିରା ଉତ୍ତରପ୍ରଦେଶ ସ୍କୁଲରେ ସରକାରୀ ଶିକ୍ଷୟିତ୍ରୀ ହେଲେ କି?