ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ମହସା ଅମୀନୀଙ୍କ ମୃତ୍ୟୁ ପରେ ହିଜାବ ବିବାଦକୁ ନେଇ ବିଶ୍ୱବ୍ୟାପି ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ଇରାକର କୁର୍ଦିସ୍ତାନ ଉପରେ ମିସାଇଲ ମାଡ଼ ହୋଇଛି । ଏହି ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫୮ ଜଣ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହି ଆକ୍ରମଣ ଇରାନର ଇସଳାମିକ ରିଭୋଲ୍ୟୁଶନନାରୀ ଗାର୍ଡ କରିଛନ୍ତି ।
ସୂଚନାଯୋଗ୍ୟ, ପାଖାପାଖି ୧୨ ଦିନ ପୂର୍ବରୁ ହିଜାବ ନ ପିନ୍ଧିବାକୁ ନେଇ ଇରାନର ପୁଲିସ ମହସା ଅମୀନୀ ନାମକ ଜଣେ ମହିଳାଙ୍କୁ ଅଟକ ରଖିଥିଲା । ଏହି ସମୟରେ ଅମୀନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ତୀବ୍ର ହୋଇଥିଲା ।
ଇରାନର କୁର୍ଦିସ୍ତାନ ଉପରେ ଆକ୍ରମଣ ପାଇଁ ମିସାଇଲ ସହିତ ଡ୍ରୋନର ସହାୟତା ନିଆଯାଇଛି । ଆକ୍ରମଣ କୁର୍ଦିସ୍ତାନରେ ଇରାନ ବିରୋଧୀ ଗୋଷ୍ଠୀଙ୍କୁ ଲକ୍ଷ୍ୟ କରାଯାଇଥିବା କୁହାଯାଉଛି । ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡଙ୍କ କହିବା ଅନୁସାରେ ସେମାନେ ଲୋକଙ୍କୁ ଆକ୍ରମଣ କରିଛନ୍ତି, ଯେଉଁମାନେ ନିକଟରେ ଦଙ୍ଗାକୁ ସମର୍ଥନ କରିଥିଲେ ।