ଇସଲାମାବାଦ୍, ମେ ୧୫ (ଖବର ଓଡ଼ିଶା): ପାକିସ୍ତାନରେ କ୍ଷମତା ବଦଳିବା ପରେ ମଧ୍ୟ ରାଜନୈତିକ ଦୃଶ୍ୟପଟରେ ସ୍ଥିରତା ଆସିନାହିଁ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିଜର ଜୀବନ ପ୍ରତି ବିପଦ ରହିଥିବା କଥା ଗଣମାଧ୍ୟମକୁ କହିଛନ୍ତି । ସେ ଏକ ଜନସଭାକୁ ସମ୍ବୋଧିକ କରି କହିଛନ୍ତି ଯେ, ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଇମ୍ରାନ୍ ଖାନ କହିଛନ୍ତି ଏହି ଷଡ଼ଯନ୍ତ୍ର ପାକିସ୍ତାନ ଓ ବିଦେଶରେ ହେଉଛି ।
ଏଥି ସହିତ ଇମ୍ରାନ କହିଛନ୍ତି ଯେ, ତାଙ୍କୁ ଜଣା ଅଛି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର କିଏ କରୁଛି । ମୁଁ ଏକ ଭିଡିଓ ରେକର୍ଡିଂ କରିଛି । ଏଥିରେ ସେହି ଲୋକମାନଙ୍କର ନାମ ଉଜାଗର କରାଯାଇଛି, ଯେଉଁମାନେ କି ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି । ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଭିଡିଓକୁ ସର୍ବସାଧାରଣଙ୍କ ସାମ୍ନାକୁ ଆସିବ ।
ସୂଚନାଯୋଗ୍ୟ କ୍ଷମତା ହରାଇବା ପୂର୍ବରୁ ମଧ୍ୟ ଇମ୍ରାନ୍ କହିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ଅଛି । କ୍ରିକେଟରରୁ ନେତା ହୋଇଥିବା ଇମ୍ରାନ୍ ଖାନ ଗତ ମାସରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତା ହରାଇଥିଲେ । ସେ ଅଭିଯୋଗ ଆଣିଥିଲେ ଯେ, ଆମେରିକା ସ୍ଥାନୀୟ ଲୋକଙ୍କ ସହାୟତାରେ ଖେଳୁଛି । ଏହି ଖେଳର ମାଷ୍ଟରମାଇଣ୍ଡ ହେଉଛି ଆମେରିକା ।