ଟେକ୍ସାସ, ଜାନୁଆରୀ ୧୬ (ଖବର ଓଡ଼ିଶା): ଆମେରିକାର ଟେକ୍ସାସରେ ୪ ଜଣ ଲୋକଙ୍କୁ ବନ୍ଧକ ରଖାଯାଇଥିବା ଖବର ଗଣମାଧ୍ୟମରୁ ଜଣାପଡ଼ିଛି। ଆଇନ୍ ପ୍ରବର୍ତ୍ତନ ଅଧିକାରୀଙ୍କ କହିବା ଅନୁସାରେ ଟେକ୍ସାସର ୟହୁଦୀ ଧାର୍ମିକ ସ୍ଥଳୀ (ସିନେଗାଁଗ)ରେ ଏହି ୪ ଜଣଙ୍କୁ ବନ୍ଧକ ରଖାଯାଇଛି। ମାତ୍ର ପରେ ଜଣକୁ ଛାଡ଼ି ଦିଆଯାଇଛି।
ବନ୍ଧକ ରଖାଯାଇଥିବା ଲୋକ ପାକିସ୍ତାନୀ ବୈଜ୍ଞାନିକ ଆଫିୟା ସିଦ୍ଦୀକୀଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି। ଆଫିୟାଙ୍କ ଉପରେ ଆଫଗାନୀ ହେପାଜତରେ ରହି ଆମେରିକୀୟ ସେନା ଅଧିକାରୀଙ୍କ ହତ୍ୟା ଉଦ୍ୟମ କରିବା ନେଇ ଅଭିଯୋଗ ରହିଛି। ଆଫିୟା ଏବେ ଟେକ୍ସାସର ଫେଡରାଲ ଜେଲରେ ଅଛନ୍ତି। ବନ୍ଧକ ଥିବା ବ୍ୟକ୍ତି ନିଜକୁ ଆଫିୟା ସିଦ୍ଦୀକୀଙ୍କ ଭାଇ ବୋଲି ପରିଚୟ ଦେଉଛନ୍ତି। ମାତ୍ର, ଆଫିୟାଙ୍କ ଭାଇ ସାମ୍ନାକୁ ଆସି କହିଛନ୍ତି, ଦାବି କରୁଥିବା ସଂପୃକ୍ତ ବ୍ୟକ୍ତି ମିଛ କହୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବେଥ ଇସ୍ରାଇଲରେ ଏହି ଘଟଣା ଘଟିଛି। ଏହି ଘଟଣା ସମୟରେ ସିନେଗାଁଗରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମର ସିଧାପ୍ରସାରଣ ଫେସବୁକରେ ଚାଲିଥିଲା। ଏଥିରେ ଦେଖାଯାଇପାରିବ ଯେ, ଜଣେ ବ୍ୟକ୍ତି ବନ୍ଧୁକ ଧରି ପ୍ରବେଶ କରୁଛି। ଯେଉଁ ୪ ଜଣଙ୍କୁ ବନ୍ଧକ ରଖାଯାଇଛି, ଏଥିରେ ଜଣେ ରବ୍ବୀ (ୟହୁଦୀ ଧର୍ମ ଗୁରୁ) ମଧ୍ୟ ଅଛନ୍ତି।