ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଛି। ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସୀମା ବିବାଦର ସମାଧାନ ପାଇଁ ଅନେକ ପର୍ଯ୍ୟାୟରେ ବୈଠକ ମଧ୍ୟ ହୋଇଛି। ଏହି କ୍ରମରେ ଗୁରୁବାର ବେଜିଂରେ ଭାରତ ଓ ଚୀନ୍ ମଧ୍ୟରେ 'ୱାର୍କିଂ ମେକାନିଜମ ଅନ୍ କନସଲଟେସନ୍ ଆଣ୍ଡ କୋଅର୍ଡିନେସନ୍' (ଡବ୍ଲ୍ୟୁଏମ୍ସିସି) ବୈଠକର ୩୧ତମ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ସହ ସୀମା ଚୁକ୍ତିକୁ ଗ୍ରହଣ କରିବାକୁ ଚୀନ୍ ରାଜି ହୋଇଛି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ମଧ୍ୟ ସହମତି ହୋଇଛି।
ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ସାମରିକ ବିବାଦର ସମ୍ପୂର୍ଣ୍ଣ ସମାଧାନ ପାଇଁ ଦୁଇ ଦେଶର କୂଟନୀତିଜ୍ଞଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତ ସହ ମତଭେଦ ହ୍ରାସ ପାଇଛି ବୋଲି ଚୀନ୍ ଦାବି କରିଛି। ବୈଠକ ପରେ ଭାରତ କହିଛି ଯେ ଚୀନ୍ ସହ ଆଲୋଚନା ଖୋଲା, ଗଠନମୂଳକ ଏବଂ ଆଗୁଆ ରହିଛି। ବେଜିଂ ମଧ୍ୟ ନୂଆଦିଲ୍ଲୀ ସହ ସୀମା ସମ୍ବନ୍ଧୀୟ ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜି ହୋଇଛି। ଖୁବଶୀଘ୍ର ପୂର୍ବ ଲଦାଖରେ ସୀମାରେ ଉତ୍ତେଜନା ଦୂର ହୋଇଯିବ ବୋଲି ଜଣାପଡ଼ିଛି।
ବେଜିଂରେ ଅନୁଷ୍ଠିତ ୩୧ତମ ପର୍ଯ୍ୟାୟ ବୈଠକରେ ଏଲଏସିରେ ଅବଶିଷ୍ଟ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୀର୍ଘ ଦିନ ଧରି ଅଟକି ରହିଥିବା ଆଲୋଚନାରେ ଅଗ୍ରଗତି ହୋଇଥିବା ସଙ୍କେତ ମିଳିଛି। ଏହି ବୈଠକରେ ସେନା ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଶାନ୍ତି ଏବଂ ସ୍ଥିରତା ଏବଂ ଏଲଏସି ପ୍ରତି ସମ୍ମାନ ପୁନରୁଦ୍ଧାର ଅତ୍ୟାବଶ୍ୟକ ଭିତ୍ତିଭୂମି ବୋଲି ବୈଠକରେ ଦୋହରାଇଥିଲେ।
ଉଭୟ ପକ୍ଷ ମଧ୍ୟରେ ଖୋଲା ଖୋଲି, ଗଠନମୂଳକ ଓ ଆଗଧାଡ଼ିର ମତ ବିନିମୟ ହୋଇଥିଲା। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତିକୁ ନେଇ ମତଭେଦ ହ୍ରାସ କରିବା ଏବଂ ବକେୟା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ନିକଟରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତି ଅନୁଯାୟୀ ସୀମା ସ୍ଥିତିର ଯଥାଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି, ସୀମାନ୍ତ ଅଞ୍ଚଳରେ ପ୍ରାସଙ୍ଗିକ ପ୍ରସଙ୍ଗଉପରେ ମତ ବିନିମୟ, ମତଭେଦକୁ ଆହୁରି ସଂକୀର୍ଣ୍ଣ କରିବା, ସହମତି ବିସ୍ତାର କରିବା, ଆଲୋଚନା ଏବଂ ପରାମର୍ଶକୁ ସୁଦୃଢ଼ କରିବା, ପରସ୍ପରର ଯୁକ୍ତିଯୁକ୍ତ ଚିନ୍ତାକୁ ଗ୍ରହଣ କରିବା ଏବଂ ଶୀଘ୍ର ଉଭୟ ଦେଶ ପାଇଁ ଗ୍ରହଣୀୟ ସମାଧାନରେ ପହଞ୍ଚିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ସାମରିକ ଅପରେସନରେ ନିହତ ହେଲେ ଅନେକ ଯୋଦ୍ଧା