ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ଅସ୍ଥିରତା ନେଇ ଚିନ୍ତା ପ୍ରକାଶ କରିବା ପରିବର୍ତ୍ତେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପୁଣି ଥରେ ପାଣ୍ଠି ଦେଇଛି । ଆଇଏମ୍ଏମ୍ ପାକିସ୍ତାନକୁ ୧.୨ ବିଲିୟନ ଡଲାରର ଏକ ନୂତନ ଋଣ ପ୍ରଦାନ କରିଛି । ଏହି ପରିମାଣ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିବା ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । କିନ୍ତୁ ଦୀର୍ଘକାଳୀନ ସଂସ୍କାର ବିନା ଏହି ପଦକ୍ଷେପ ବିପଦପୂର୍ଣ୍ଣ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ସୋମବାର ଦିନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସଂସ୍କାରକୁ ସମର୍ଥନ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଦୁଇଟି କାର୍ଯ୍ୟକ୍ରମ ଅଧୀନରେ ପାକିସ୍ତାନକୁ ୧.୨ ବିଲିୟନ ଡଲାରର ତୃତୀୟ କିସ୍ତି ପ୍ରଦାନ କରିବାକୁ ଘୋଷଣା କରିଛି । ଏହି ସଦ୍ୟତମ କିସ୍ତି ସହିତ ଆଇଏମ୍ଏଫ୍ ଇସଲାମାବାଦକୁ ମୋଟ ୩.୩ ବିଲିୟନ ଡଲାର ପ୍ରଦାନ କରିସାରିଛି।
ଆଇଏମଏଫର ଉପ ପରିଚାଳନା ନିର୍ଦ୍ଦେଶକ ନାଇଜେଲ କ୍ଲାର୍କ ଏକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ପାକିସ୍ତାନର ସୁଧାରଗୁଡ଼ିକ ସାମଗ୍ରିକ ଅର୍ଥନୈତିକ ସ୍ଥିରତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେ ବିଶେଷ ଭାବରେ ଚଳିତ ବର୍ଷର ମୌସୁମୀ ବନ୍ୟା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ସେପ୍ଟେମ୍ବର ସୁଦ୍ଧା ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
କ୍ଲାର୍କ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ପ୍ରାଥମିକ ଆର୍ଥିକ ସନ୍ତୁଳନ ଲକ୍ଷ୍ୟ ହାସଲ କରିବା ଏବଂ ବନ୍ୟା ପୀଡିତଙ୍କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ଯୋଗାଇବା । ଏହାର ଆର୍ଥିକ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ଦିଗରେ ଏକ ସକାରାତ୍ମକ ସଙ୍କେତ ।
ତଥାପି, ଆଇଏମ୍ଏଫ୍ ଅଧିକାରୀ ସରକାରଙ୍କୁ ଆର୍ଥିକ ତଥ୍ୟ ସଂଗ୍ରହରେ ଉନ୍ନତି, ସରକାରୀ କ୍ଷେତ୍ରର ଉଦ୍ୟୋଗଗୁଡ଼ିକର ଘରୋଇକରଣ ଏବଂ ନିବେଶ ବୃଦ୍ଧି ଭଳି ପ୍ରମୁଖ ସଂସ୍କାରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ।