ନୂଆଦିଲ୍ଲୀ: ଭେନେଜୁଏଲାର ଅପଦସ୍ଥ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସୋମବାର ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଛି । ଡ୍ରଗ୍ସ କାରବାର ସମେତ ଅନେକ ଗମ୍ଭୀର ଅଭିଯୋଗ ଉପରେ ନିଜକୁ କୋର୍ଟରେ ନିର୍ଦ୍ଦୋଷ ବୋଲି କହିଛନ୍ତି ମାଦୁରୋ । ସେ ଜଜଙ୍କ ସାମ୍ନାରେ କହିଛନ୍ତି ଯେ, ସେ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି । ମାଦୁରୋ ଓ ତାଙ୍କ ପତ୍ନୀ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ କୋର୍ଟରୁ ବାହାରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୭ ପୂର୍ବାହ୍ଣ ୧୧ଟାରେ ହେବ ।
ଭେନେଜୁଏଲାର କରାକସରେ ଆମେରିକା ସେନା ଦ୍ୱାରା ଅପହୃତ ହୋଇ ଗିରଫ ହେବାର ଦୁଇ ଦିନ ପରେ ନିକୋଲାସ ମାଦୁରୋଙ୍କୁ ଆମେରିକା କୋର୍ଟରେ ହାଜର କରାଯାଇଥିଲା । ଜଜ ସାମ୍ନାରେ ମାଦୁରୋ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ତାଙ୍କୁ ଅପହରଣ କରାଯାଇଥିବା କହିଛନ୍ତି । ନାର୍କୋ-ଆତଙ୍କବାଦ ଓ କୋକିନ କାରବାରର ଷଡଯନ୍ତ୍ର ସମେତ ଅନେକ ଅଭିଯୋଗ ଉପରେ ଜଜ ଏଲଭିନ କେ ହେଲରଷ୍ଟିନଙ୍କ ପ୍ରଶ୍ନ ଉପରେ ମାଦୁରୋ କହିଛନ୍ତି, ମୁଁ ଜଣେ ସଚ୍ଚୋଟ ମଣିଷ । ମୋତେ ଭେନେଜୁଏଲାର କାରାକାସରେ ମୋ ଘରୁ ମୋତେ ଗିରଫ କରାଯାଇଥିଲା ।
ମାଦୁରୋଙ୍କ ପତ୍ନୀ ସିଲିୟା ଫ୍ଲୋରେସ ମଧ୍ୟ ନିଜକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି । କୋର୍ଟରୁ ବାହାରିବା ସମୟରେ ମାଦୁରୋ କହିଛନ୍ତି ମୁଁ ଯୁଦ୍ଧବନ୍ଦୀ । ମାଦୁରୋଙ୍କ ଓକିଲ ଏହାକୁ ସୈନ୍ୟ ଅପହରଣ ଦର୍ଶାଇ ଆଇନର ଉଲ୍ଲଂଘନ ହୋଇଥିବା କହିଛନ୍ତି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଭେନେଜୁଏଲାକୁ ନିୟନ୍ତ୍ରଣ କରୁଛି ଏବଂ ଏହାର ମଧ୍ୟବର୍ତ୍ତୀକାଳୀନ ନେତାଙ୍କୁ ସହଯୋଗ ନଚେତ୍ ଭାରୀ ମୂଲ୍ୟ ଦେବାକୁ ଚେତାବନୀ ଦେଇଛନ୍ତି। ମାଦୁରୋଙ୍କ ଅଧୀନରେ ଉପରାଷ୍ଟ୍ରପତି ଭାବରେ କାର୍ୟ୍ୟ କରିଥିବା ଡେଲସି ରୋଡ୍ରିଗେଜ ଆମେରିକା ସରକାରଙ୍କୁ ସହଯୋଗ କରିବାକୁ ଆମନ୍ତ୍ରଣ କରି ଜୋର ଦେଇ କହିଛନ୍ତି, ଭେନେଜୁଏଲାର ଶାନ୍ତି, ବିକାଶ, ସାର୍ବଭୌମତ୍ୱ ଏବଂ ଭବିଷ୍ୟତର ଅଧିକାର ଅଛି।