ନୂଆଦିଲ୍ଲୀ: ଭେନେଜୁଏଲା ପରେ ଏବେ କୋଲମ୍ବିଆ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ପରେ କ୍ଷେତ୍ରୀୟ ଉତ୍ତେଜନା ଚରମରେ ପହଞ୍ଚିଛି । ଏହା ମଧ୍ୟରେ କୋଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୋମବାର କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ମୁକାବିଲା କରିବା ପାଇଁ ହତିଆର ଉଠାଇବାକୁ ଆମେ ପ୍ରସ୍ତୁତ । ଟ୍ରମ୍ପଙ୍କ ଧମକର ଜବାବରେ କୋଲମ୍ବିଆର ପ୍ରଥମ ବାମପନ୍ଥୀ ରାଷ୍ଟ୍ରପତି ତଥା ପର୍ବୂତନ ଏମ-୧୯ ଗରିଲା ସଦସ୍ୟ ପେଟ୍ରୋ ଏକ୍ସରେ ପୋଷ୍ଟ କରି କହିଛନ୍ତି, ମୁଁ ଶପଥ କରିଥିଲି ଯେ, ପୁନର୍ବାରକେବେ ଅସ୍ତ୍ର ଛୁଇଁବି ନାହିଁ । ମାତ୍ର ମାତୃଭୂମି ପାଇଁ ହତିଆର ଉଠାଇବା ପାଇଁ ମୁଁ ପ୍ରସ୍ତୁତ ।
ଟ୍ରମ୍ପ ରବିବାର ପେଟ୍ରୋଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚେତାବନୀ ଦେଇ ତାଙ୍କୁ ରୋଗୀଣା ମଣିଷ ବୋଲି କହିଥିଲେ । କୋଲମ୍ବିଆ କୋକିନ ପ୍ରସ୍ତୁତ କରିବା ଏବଂ ଏହାକୁ ଆମେରିକାରେ ବିକ୍ରି କରିବାକୁ ପସନ୍ଦ କରେ । ଟ୍ରମ୍ପ ବିନା ପ୍ରମାଣରେ କୋଲମ୍ବିଆ ନେତାଙ୍କ ଉପରେ ଡ୍ରଗ୍ସ ଚାଲାଣର ଅଭିଯୋଗ ଲଗାଇଛନ୍ତି । ଆମେରିକା ଡ୍ରଗ୍ସ ବିରୁଦ୍ଧ ଲଢେଇରେ ସହଯୋଗୀ ଦେଶ ତାଲିକାରୁ କୋଲମ୍ବିଆର ନାଁ ହଟାଇ ଦେଇଛି ।
ଏକ୍ସରେ ଏକ ଲମ୍ବା ପୋଷ୍ଟରେ ପେଟ୍ରୋ ନିଜର ଡ୍ରଗ୍ସ ବିରୋଧୀ ନୀତିକୁ ସମର୍ଥନ କରିବା ସହ ସାମରିକ ଆକ୍ରମଣର ସୀମାକୁ ମଧ୍ୟ ଜୋର ଦେଇଛନ୍ତି । ସେ ଲେଖିଛନ୍ତି, ବିନା ପର୍ଯ୍ୟାପ୍ତ ଗୁଇନ୍ଦା ତଥ୍ୟ ଆଧାରରେ ଅନ୍ୟ ଦେଶ ଉପରେ ହମଲା କରାଯିବା ଗ୍ରହଣୀୟ ନୁହେଁ । ଏଥିରେ ଛୋଟ ଶିଶୁ, ମହିଳା, କୃଷକ ଆଦି ପ୍ରାଣ ହରାଉଛନ୍ତି । ଯଦି ଦେଶର ରାଷ୍ଟ୍ରପତିଙ୍କୁ ଅପହରଣ କରି ନିଆଯିବ ତେବେ ଜନ ଅସନ୍ତୋଷ ଜାଗ୍ରତ ହେବ ଏବଂ ଦେଶରେ ବିଦ୍ରୋହର ବହ୍ନି ଜଳିବ ।
ଟ୍ରମ୍ପ ଆଉ ଦୁଇ ଦେଶ କଲମ୍ବିଆ ଓ କ୍ୟୁବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି କୋଲମ୍ବିଆର ନେତା ଭେନେଜୁଏଲା ପରି ଶାସନ କରୁଛନ୍ତି । କୋଲମ୍ବିଆର କାମ କୋକିନ ପ୍ରସ୍ତୁତ କର ଏବଂ ଆମେରିକାରେ ବିକ୍ରି କର । ଏହି ଅଭିଯୋଗ ଆଣି ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ସାରିଛି । ଏମିତିରେ କୋଲମ୍ବିଆ ଓ କ୍ୟୁବାଙ୍କୁ ଟ୍ରମ୍ପଙ୍କ ଧମକ ଚିନ୍ତାର ବିଷୟ । କ୍ୟୁବା ସରକାର ବି ପତନ ହୋଇପାରେ ବୋଲି ଆମେରିକା କହିଛି ।
Also read: ମୁଁ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି, ଅପହରଣ କରି ମୋତେ ଅଣାଯାଇଛି; ୟୁଏସ କୋର୍ଟରେ ମାଦୁରୋଙ୍କ ଯୁକ୍ତି