ସୁଦାନର ଖାର୍ତୁନରେ ଚାଲିଥିବା ଯୁଦ୍ଧ ପଛର ବିଭତ୍ସ ଓ କୁତ୍ସିତ ଯୌନ ହିଂସାର ଚିତ୍ର ସାମ୍ନାକୁ ଆସିଛି । ଗତ ଏପ୍ରିଲ ଠାରୁ ସେନା ଏବଂ ରାପିଡ ସପୋର୍ଟ ଫୋର୍ସ(RSF)ଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ଏପର୍ଯ୍ୟନ୍ତ ଯୁଦ୍ଧରେ ୧୮୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୫ ଲକ୍ଷ ଲୋକ ନିଜଘର ଛାଡିଛନ୍ତି| ଏହି ଯୁଦ୍ଧରେ ବଳି ପଡିଛନ୍ତି ସେଠାକାର ମହିଳାମାନେ| ରାସ୍ତାଘାଟ, ହୋଟେଲ ଯେଉଁଠି ଦେଖିଲେ ସବୁଠି ସେମାନଙ୍କ ସହ ବଳାତ୍କାର କରାଯାଉଛି | ଏମିତିକି ସେମାନେ ନିଜ ଘରେ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି | ଘର ଭିତରେ ପଶି କିଛି ଆରଏସଏଫ ମାନେ ସେମାନଙ୍କୁ ବଳାତ୍କାର କରୁଛନ୍ତି|
ତେବେ ଏହି ଯୌନହିଂସାରୁ ଜୈନବ ନାମକ ଜଣେ ମହିଳା ନିଜକୁ ବଞ୍ଚାଇବା ପାଇଁ ଦେଶଛାଡି ଯିବାକୁ ବାହାରିଥିଲେ| ସାଙ୍ଗରେ ଥିଲେ ନବଜାତ ଶିଶୁ ଏବଂ କିଛି ମହିଳା | ହେଲେ ଆରଏସଏଫ ଜବାନମାନେ ତାଙ୍କୁ ଅଟକାଇ ଦେଇଥିଲେ | ସେମାନେ ଜୈନବକୁ ଏବଂ ସେ ମହିଳାଙ୍କୁ ଏକ ଗୋଦାମକୁ ନେଇ ଯାଇଥିଲେ | ସେଠାରେ ଜଣେ କମାଣ୍ଡର ଥିଲେ | ଯିଏ ଜୈନବଙ୍କୁ ତଳେ ଶୋଇବାକୁ ଆଦେଶ ଦେଇଥିଲେ | ଆଉ ଏହାପରେ ଜଣକ ପରେ ଜଣେ ତାଙ୍କ ସହ ବଳାତ୍କାର କରି ଚାଲିଥିଲେ | କେବଳ ତାଙ୍କୁ ନୁହେଁ ତାଙ୍କ ଭଉଣୀଙ୍କୁ ମଧ୍ୟ ବଳାତ୍କାର କରିଥିଲେ | କିଛି ସମୟ ପରେ ସେମାନେ ତାଙ୍କୁ ଛାଡି ଦେଇଥିଲେ | ଜୈନବ ଏବେ ଅନ୍ୟ ଏକ ଦେଶକୁ ଖସି ଚାଲି ଆସିଛନ୍ତି | ତେବେ ଜୈନବଙ୍କ ଭଳି ଆହୁରି ଅନେକ ମହିଳା ନିଜ ଦୁଃଖର କାହାଣୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି | ଆଉ ଏହାମଧ୍ୟ କହିଛନ୍ତି, ଯଦି ସେମାନଙ୍କ ପ୍ରକୃତ ନାଁକୁ ଗୋପନ ନରଖାଯାଏ, ତେବେ ସେମାନେ ତାଙ୍କ ପରିବାରର ସମସ୍ତଙ୍କୁ ମାରିଦେବେ |
ସେଠାକାର ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେଉଥିବା ସଂସ୍ଥା କହିଛନ୍ତି, ପ୍ରତିଦିନ ଏହି ଯୌନହିଂସା ଘଟଣା ବଢିବାରେ ଲାଗିଛି | ସେମାନେ ମହିଳା ଶିଶୁ ବୃଦ୍ଧା ସମସ୍ତଙ୍କୁ ବଳାତ୍କାର କରୁଛନ୍ତି | ଯେଉଁଥିପାଇଁ ଅନେକ ସଂଖ୍ୟାରେ ମହିଳା ନିଜ ଘରଛାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି |