ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଦମଦାର ପ୍ରଦର୍ଶନ କରି ବାଜିମାତ କରିଛନ୍ତି । ତାଙ୍କ ବିପକ୍ଷରେ ନିର୍ବାଚନ ଲଢିଥିବା ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଏହି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ନେତାଙ୍କ ଜଲୱା ଦେଖିବାକୁ ମିଳିଛି । ଏଥର ମୋଟ୍ ୬ ଭାରତୀୟ ବଂଶୋଦ୍ଭବ ନେତା ଆମେରିକା କଂଗ୍ରେସର ସାଂସଦ ହେବାକୁ ସଫଳ ହୋଇଛନ୍ତି । ସୁହାସ ସୁବ୍ରମଣ୍ୟମ ଭର୍ଜିନିଆ ସିଟରୁ ନିର୍ବାଚନ ଜିତିବାରେ ସଫଳ ହୋଇଛନ୍ତି । ତାଙ୍କ ବ୍ୟତୀତ କାଲିଫର୍ଣ୍ଣିଆରୁ ଅମି ବେରା, ଇଲିନୋଇସରୁ ରାଜା କୃଷ୍ଣମୂର୍ତ୍ତି, କାଲିଫର୍ଣ୍ଣିଆରୁ ରୋ ଖନ୍ନା, ୱାଶିଂଟନରୁ ପ୍ରମିଳା ଜୟପାଲ ଓ ମିଶିଗନରୁ ଶ୍ରୀ ଥାନେଦାର ସାଂସଦ ହେବାକୁ ଯାଉଛନ୍ତି ।
ବର୍ତ୍ତମାନ କଂଗ୍ରେସ ସଂସଦରେ ଏହି ଛଅ ଜଣଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ଅଛନ୍ତି ଏବଂ ପୁଣି ଥରେ କଂଗ୍ରେସକୁ ମନୋନୀତ ହୋଇଛନ୍ତି । ଭାରତୀୟ-ଆମେରିକୀୟ ଓକିଲ ସୁହାସ ସୁବ୍ରମଣ୍ୟମ ଭର୍ଜିନିଆ ଓ ପୂରା ଇଷ୍ଟ କୋଷ୍ଟରୁ ପୂରା ସମୁଦାୟରୁ ପ୍ରଥମ ବ୍ୟକ୍ତି ଭାବେ କଂଗ୍ରେସକୁ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି । ସୁବ୍ରମଣ୍ୟମ ରିପବ୍ଲିକନ ପାର୍ଟିର ମାଇକ କ୍ଲାନ୍ସିଙ୍କୁ ହରାଇଛନ୍ତି । ସେ ବର୍ତ୍ତମାନ ଭର୍ଜିନିଆର ରାଜ୍ୟ ସିନେଟର ରହିଛନ୍ତି।
ଏରିଜୋନାର ପ୍ରଥମ କଂଗ୍ରେସନଲ ଡିଷ୍ଟ୍ରିକ୍ଟରୁ ଡ. ଅମିଶ ଶାହ ରିପବ୍ଲିକାନ ପ୍ରତିଦ୍ଵନ୍ଦ୍ଵୀ ବିପକ୍ଷରେ ସାମାନ୍ୟ ଆଗରେ ରହିଛନ୍ତି। ଯଦି ସେ ବିଜୟୀ ହୁଅନ୍ତି ତେବେ ପ୍ରତିନିଧି ସଭାରେ ଭାରତୀୟ ଆମେରିକୀୟ ସଂଖ୍ୟା ୭କୁ ବୃଦ୍ଧି ଘଟିବ। ନିର୍ବାଚନ ଫଳାଫଳ ଆସିବା ପରେ ସୁବ୍ରମଣ୍ୟମ କହିଛନ୍ତି, ମୁଁ ସମ୍ମାନିତ ଅନୁଭବ କରୁଛି ଯେ, ଭର୍ଜିନିଆର ୧୦ତମ ଜିଲ୍ଲାବାସୀ ମୋ ଉପରେ ଭରସା ପ୍ରକାଶ କରିଛନ୍ତି ଯଦ୍ଵାରା ମୁଁ ସବୁଠୁ କଠିନ ଲଢେଇ ଲଢି ପାରିବି। ଏହି ଜିଲ୍ଲା ମୋର ଘର। ମୁଁ ଏଠାରେ ବିବାହ କରିଛି ଓ ପରିବାର ସହ ରହୁଛି। ଓ୍ଵାଶିଂଟନର ଏହି ଜିଲ୍ଲାର ସେବା କରିବା ମୋ ପାଇଁ ସମ୍ମାନର ବିଷୟ।
ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ହ୍ଵାଇଟ୍ ହାଉସ ପରାମର୍ଶଦାତା ରହି ସାରିଥିବା ସୁବ୍ରମଣ୍ୟମ ଆସ୍ଥାରେ ହିନ୍ଦୁ ହୋଇଥିବା ବେଳେ ସମଗ୍ର ଆମେରିକାରେ ଭାରତୀୟ ଆମେରିକୀୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ସେହିପରି ଶ୍ରୀ ଥାନେଦାର ମିସିଗନର ୧୩ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରୁ ଲଗାତାର ଦ୍ଵିତୀୟ ଥର ଚୟନ ହୋଇଛନ୍ତି। ୨୦୨୩ରେ ସେ ପ୍ରଥମ ଥର ନିର୍ବାଚନ ଜିତିଥିଲେ। ରାଜା କୃଷ୍ଣମୂର୍ତ୍ତି ଇଲିନୋଇସର ସପ୍ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରୁ ଲଗାତାର ପଞ୍ଚମ ଥର ବିଜୟଲାଭ କରିଛନ୍ତି।
କୃଷ୍ଣମୂର୍ତ୍ତି କହିଛନ୍ତି, ହ୍ଵାଇଟ୍ ହାଉସ୍ ଓ କଂଗ୍ରେସ ଉପରେ ନିୟନ୍ତ୍ରଣ ପାଇଁ ଲଢେଇ ଜାରି ରହିଛି। ମାତ୍ର ମୁଁ ସମ୍ମାନିତ ଅନୁଭବ କରୁଛି ଯେ, ଇଲିନୋଇସବାସୀ ତାଙ୍କୁ ପୁଣି ଥରେ କଂଗ୍ରେସକୁ ନିର୍ବାଚିତ କରିଛନ୍ତି। ଏହିପରି କାଲିଫର୍ଣ୍ଣିଆରୁ ଅମି ବେରା, ଇଲିନୋଇସରୁ ରାଜା କୃଷ୍ଣମୂର୍ତ୍ତି, କାଲିଫର୍ଣ୍ଣିଆରୁ ରୋ ଖନ୍ନା, ୱାଶିଂଟନରୁ ପ୍ରମିଳା ଜୟପାଲ ଓ ମିଶିଗନରୁ ଶ୍ରୀ ଥାନେଦାର ସାଂସଦ ହେବାକୁ ଯାଉଛନ୍ତି ।