ୱାଶିଂଟନ୍/ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଆମେରିକାର ସୁପ୍ରିମ୍କୋର୍ଟ ଶନିବାର ଅନୁମୋଦନ କରିଛନ୍ତି। ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ତହୱୁର ରାଣାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ତହୱୁର ରାଣାକୁ ଗିରଫ କରାଯାଇଛି।
ନିମ୍ନ ଅଦାଲତରେ ଆଇନଗତ ଲଢ଼େଇରେ ପରାଜିତ ହେବା ପରେ ତହୱୁର ରାଣା ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆମେରିକା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତ ଏବଂ ଅନେକ ଫେଡେରାଲ କୋର୍ଟରେ ଆଇନଗତ ଲଢ଼େଇରେ ପରାଜିତ ହେବା ପରେ, ତହୱୁର ରାଣା ଶେଷ ଥର ପାଇଁ ସାନ୍ ଫ୍ରାନ୍ସିସ୍କୋର ଉତ୍ତର ସର୍କିଟ ପାଇଁ ଆମେରିକାର କୋର୍ଟ ଅଫ୍ ଆପିଲ୍ସର ଦ୍ୱାରସ୍ଥ ହୋଇଥିଲେ। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ରାଣାଙ୍କ ପାଇଁ ଏହା ଥିଲା ଶେଷ ଆଇନଗତ ସୁଯୋଗ।
ସୂଚନାଯୋଗ୍ୟ, ଡେଭିଡ୍ ହେଡଲିଙ୍କୁ ସାହାଯ୍ୟ କରିଥିବା ନେଇ ରାଣାଙ୍କ ଉପରେ ଗୁରୁତର ଅଭିଯୋଗ ରହିଛି। ସେ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କୁ ମୁମ୍ବାଇରେ ଥିବା ବେସ୍ର ରେକିରେ ସାହାଯ୍ୟ କରିଥିଲେ। ୨୦୦୯ରେ ସେ ଚିକାଗୋରୁ ଗିରଫ ହୋଇଥିଲେ ଏବଂ ଆଇଏସଆଇ ଏବଂ ଲସ୍କର-ଇ-ତୋଏବା ସହ ଲିଙ୍କ୍ ଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର କର୍ମକର୍ତ୍ତା ବୋଲି କୁହାଯାଉଛି।
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଆମେରିକୀୟଙ୍କ ସମେତ ସମୁଦାୟ ୧୬୬ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ୬୦ ଘଣ୍ଟାରୁ ଅଧିକ ସମୟ ଧରି ମୁମ୍ବାଇର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ।