ପ୍ରଥମ ଥର ପାଇଁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଛି ବିରଳ ହାପ୍ଲୋଏଡେଣ୍ଟାଲ ମଜ୍ଜା ପ୍ରତିରୋପଣ । ଖୋର୍ଦ୍ଧା ଜ଼ିଲ୍ଲା ବାଘମାରି ଅଞ୍ଚଳର ଶୁଭ୍ରାଂଶୁ ସାହୁଙ୍କ ଠାରେ କରାଯାଇଥିଲା ଏହି ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ପରେ ଉଭୟ ରୋଗୀ ଏବଂ ଷ୍ଟେମ୍-ଦାତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଅସ୍ଥି ମଜ୍ଜା ପ୍ରତିରୋପଣ ସାଧାରଣତ ୧୦୦ ପ୍ରତିଶତ କିମ୍ବା ୯୦ ପ୍ରତିଶତ ମ୍ୟାଚ ହେଲେ ହିଁ କରାଯାଇଥାଏ, କିନ୍ତୁ ଶୁଭ୍ରାଂଶୁଙ୍କ କ୍ଷେତ୍ରରେ ଘନିଷ୍ଠ ମ୍ୟାଚ ପାଇବାରେ ବିଫଳ ହେବା ପରେ ହାପ୍ଲୋଏଡେଣ୍ଟାଲ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତି ଚୟନ କରିଥିଲେ ଡାକ୍ତରମାନେ । ହାପ୍ଲୋଏଡେଣ୍ଟିକାଲ୍ ଟ୍ରାନ୍ସପ୍ଲାଣ୍ଟ ହେଉଛି ଏକ ପ୍ରକାର ଆଲୋଜେନିକ୍ ଟ୍ରାନ୍ସପ୍ଲାଣ୍ଟ ଯାହା ଦ୍ୱାରା ଅସ୍ୱାସ୍ଥ୍ୟକର ସ୍ଥାନକୁ ବଦଳାଇବା ପାଇଁ ଅଧା ମେଳ ଖାଉଥିବା ଦାତାଙ୍କଠାରୁ ସୁସ୍ଥ ରକ୍ତ ସୃଷ୍ଟିକାରୀ କୋଷିକା ଗୁଡିକୁ ନେଇ ରୋଗୀ ଶରୀରରେ ବ୍ୟବହାର କରାଯାଏ । ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଶୁଭ୍ରାଂଶୁ ସାହୁଙ୍କ ଅସ୍ତ୍ରୋପଚାର ପାଇଁ ତାଙ୍କ ସାନଭାଇ ସାଜିଥିଲେ ଷ୍ଟେମ୍-ଦାତା । ଏହି ଅସ୍ତ୍ରୋପଚାର ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିବା ନେଇ ସୂଚନା ମିଳିଛି । ଅସ୍ତ୍ରୋପଚାର ପରେ ଉଭୟ ରୋଗୀ ଏବଂ ଷ୍ଟେମ୍-ଦାତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଥିବା କହିଛନ୍ତି ଡାକ୍ତରି ଟିମ୍ । ହେମାଟୋଲୋଜି ଡିପାର୍ଟମେଣ୍ଟ ମୁଖ୍ୟ ରବୀନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନ ରେ ଏହି ଅସ୍ତ୍ରୋପଚାରଟି ହୋଇଥିଲା ।
ଅଧିକା ପଢନ୍ତୁ : ନିର୍ମାଣ ଚାଲିଛି ୩୫ଫୁଟ ଉଚ୍ଚତାର ଶିବଙ୍କ ମୂର୍ତ୍ତି